ଭୁବନେଶ୍ୱର: ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସର ବଡ଼ ଆକ୍ସନ୍। ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ୍-୧ରେ ହୋଇଥିବା ୯ କୋଟି ୨୪ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ଆଉ ୩ ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଗିରଫଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ଜଣେ ବରିଷ୍ଠ ଆକାଉଣ୍ଟାଣ୍ଟ ରହିଛନ୍ତି। ଏହି ନୂଆ ଗିରଫଦାରୀ ପରେ ମାମଲାରେ ନ୍ୟାୟିକ ହାଜତକୁ ଯାଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।
ଗିରଫ ତିନି ଜଣ ହେଲେ ଭୁବନେଶ୍ୱର ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ ଆର୍ ଆଣ୍ଡ ବି ଡିଭିଜନ୍ର ବରିଷ୍ଠ ସହାୟକ ବିଶ୍ୱନାଥ ଦାସ ଏବଂ ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ୍-୧ର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ପିଅନ କୁମୁଦ ସାହୁ। ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱରର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି।
ଫୋନ୍ପେ’ରେ ଲାଞ୍ଚ ଦେଇ ପାସ୍ କରାଯାଉଥିଲା ଜାଲ୍ ବିଲ୍!
ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ଏହି ଆର୍ଥିକ ଅନିୟମିତତା ପଛରେ ଏକ ସଂଗଠିତ ନେଟ୍ୱର୍କ କାମ କରୁଥିବା ସନ୍ଦେହ କରାଯାଉଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ ଜାଲ୍ ବିଲ୍ଗୁଡ଼ିକୁ ଟ୍ରେଜେରୀରେ ବିନା ଆପତ୍ତିରେ ପାସ୍ କରାଇବା ପାଇଁ ବରିଷ୍ଠ ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଫୋନ୍ପେ ମାଧ୍ୟମରେ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି।
୨୦୨୫ ମାର୍ଚ୍ଚରୁ ୨୦୨୬ ଜୁଲାଇ ମଧ୍ୟରେ ୧୧ଟି ପୃଥକ୍ କାରବାରରେ ମୋଟ ୩ ଲକ୍ଷ ୯୦ ହଜାର ଟଙ୍କା ଫୋନ୍ପେ ଜରିଆରେ ବେହେରାଙ୍କୁ ପଠାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଭିଜିଲାନ୍ସ କହିଛି।
ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା!
ତଦନ୍ତରେ ଆହୁରି ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଅସ୍ଥାୟୀ ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ନାଁରେ ଟଙ୍କା ହଡ଼ପ କରିବା ପାଇଁ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ବିଶ୍ୱନାଥ ଦାସ ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ୍-୧ରେ କାର୍ଯ୍ୟରତ ଥିବା ସମୟରେ ନିଜ ମା’ଙ୍କ ଆକାଉଣ୍ଟକୁ ପ୍ରାୟ ୫୦ ଲକ୍ଷ, ଜଣେ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଏବଂ ନିଜ ଆକାଉଣ୍ଟକୁ ୩୭ ଲକ୍ଷ ଟଙ୍କା ଆସିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଏହି ଟଙ୍କାର କିଛି ଅଂଶ ଫୋନ୍ପେ ଜରିଆରେ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାଇଥିବା ବେଳେ ଅବଶିଷ୍ଟ ଟଙ୍କା ନଗଦ ଉଠାଯାଇଥିବା ଅଭିଯୋଗ ହୋଇଛି।
ସେହିପରି ପିଅନ କୁମୁଦ ସାହୁ ନିଜ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମୁଖ୍ୟ ଅଭିଯୁକ୍ତଙ୍କୁ ଦେଇଥିବା ଅଭିଯୋଗ ରହିଛି। ଏହି ଆକାଉଣ୍ଟକୁ ଅସ୍ଥାୟୀ ଗ୍ରାଚ୍ୟୁଇଟି ବାବଦରେ ୧୧ ଲକ୍ଷ ୨୫ ହଜାର ୧୨୦ ଟଙ୍କା ଆସିଥିଲା। ପରେ ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ତିନିଟି ପର୍ଯ୍ୟାୟରେ ନଗଦ ଉଠାଯାଇଥିବା ଭିଜିଲାନ୍ସ ଅଭିଯୋଗ କରିଛି।
ଏହି ମାମଲାରେ ପୂର୍ବରୁ ସେପ୍ଟେମ୍ବର ୨୭ରେ ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି ଓ ବିଭୁଦତ୍ତ ନାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଟଙ୍କା କାରବାରର ସମ୍ପୂର୍ଣ୍ଣ ତଥ୍ୟ, ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ଏବଂ ଅଭିଯୁକ୍ତଙ୍କ ସମ୍ପତ୍ତି ଯାଞ୍ଚ ନେଇ ତଦନ୍ତ ଜାରି ରହିଛି।