ବାଲେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲକୁ ନେଇ କଲେଜ ପରିସରରେ ଉତ୍ତେଜନା। ନିର୍ଦ୍ଧାରିତ ସମୟ ସରିବା ପରେ କଲେଜ ଭିତରକୁ ପଶିବାକୁ ନେଇ ଦେଖାଦେଲା ଉତ୍ତେଜନାମୂଳକ ପରିସ୍ଥିତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱରପୁରସ୍ଥିତ ଆରଆଇଏଚଏସ୍ (RIHS) କଲେଜରେ ଶୁକ୍ରବାର ଏଭଳି ଘଟଣା ଘଟିଛି।
ସୂଚନା ଅନୁସାରେ, ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ସମୟ ସୀମା ଶେଷ ହେବା ପରେ କିଛି ଛାତ୍ର କଲେଜ ପରିସରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରିକି କଲେଜର ମୁଖ୍ୟ ଫାଟକ ଭାଙ୍ଗି ଭିତରକୁ ଧସେଇ ପଶିବାକୁ ଉଦ୍ୟମ ହୋଇଥିବା କୁହାଯାଉଛି। ଏହାକୁ ନେଇ କଲେଜ ଗେଟ୍ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ତୁରନ୍ତ କଲେଜରେ ପହଞ୍ଚିଥିଲା। ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ଏବଂ ଫାଟକ ସମ୍ମୁଖରେ ଦେଖାଦେଇଥିବା ଉତ୍ତେଜନା ଶାନ୍ତ ପଡ଼ିଥିଲା।
ତେବେ ନାମାଙ୍କନ ଦାଖଲର ସମୟ ସରିବା ପରେ କେଉଁ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାରେ କେହି ଆହତ ହୋଇଛନ୍ତି କିମ୍ବା କାହାକୁ ଗିରଫ କରାଯାଇଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ତଥ୍ୟ ମିଳିପାରିନାହିଁ।
ଅନ୍ୟପଟେ, ଭଦ୍ରକ ମହିଳା କଲେଜ ଏବଂ ଭଣ୍ଡାରିପୋଖରୀ ବ୍ଲକର ନାମୀ କଲେଜରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଥିବା ଖବର ଆସିଛି। ଭଦ୍ରକ ମହିଳା କଲେଜରେ ଏହି ନିଷ୍ପତ୍ତିକୁ ନେଇ କିଛି ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି। ରାଜ୍ୟରେ ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ବିଭିନ୍ନ କଲେଜରେ ଏଭଳି ଘଟଣା ଚର୍ଚ୍ଚା ସୃଷ୍ଟି କରିଛି।