ମୟୂରଭଞ୍ଜ : ଉଦଳା ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ। ରୋଗୀ ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ଆମ୍ବୁଲାନ୍ସରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ ଯାହା ଫଳରେ ରୋଗୀଙ୍କ ଜୀବନ ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ ନାମକ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲ କୁ ନେବା ନିମନ୍ତେ ଏକ ଘରୋଇ ଆମ୍ବୁଲାନ୍ସ ଆସିଥିଲା। ଆମ୍ବୁଲାନ୍ସ ଭିତରେ ରୋଗୀକୁ ଭର୍ତ୍ତି କରି ଅକ୍ସିଜେନ ଲଗାଇବା ସମୟରେ ଅଚାନକ ଅକ୍ସିଜେନ ସିଲିଣ୍ଡରରୁ ନିଆଁ ଲାଗିଥିଲା। ଯାହା ପରେ ଅକ୍ସିଜେନ ଟାଙ୍କି ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଲୋକେ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାର କରି ନେଇଥିଲେ ସୁଦ୍ଧା ନିଆଁରେ ରୋଗୀ ଜଣଙ୍କ ମଧ୍ୟ ଅଳ୍ପ ଜଳି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।
ସେପଟେ ଆମ୍ବୁଲାନ୍ସ ଜଳିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଏପରିକି ଆମ୍ବୁଲାନ୍ସର ଛପର ଉଡି ଅନ୍ୟ ରୋଗୀଙ୍କ ଉପରେ ପଡିଥିଲା ଯାହା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି।