ଜଗତସିଂହପୁର : ନୌବାଣିଜ୍ୟ ତଥା କଳିଙ୍ଗ ସାହସିକାର ଗୀତିଗାଥା ବହନ କରୁଥିବା ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ଆସନ୍ତା ନଭେମ୍ବର ୨୩ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ । ପୂର୍ବପରି ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଏନେଇ ଗୁରୁବାର ଜଗତସିଂହପୁର ଜିଲ୍ଲାପାଳ ତଥା କଳିଙ୍ଗ ବାଲିଯାତ୍ରା କମିଟିର ଅଧକ୍ଷ ଜେ ସୋନୁୱାଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ଅଫିସର୍ସ କ୍ଲବ ପରିସରରେ ଆୟୋଜିତ ଏହି ବୈଠକରେ ଏସ୍ପି ଅଙ୍କିତ କୁମାର ବର୍ମା , ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , ସାଂସଦ ଡ ବିଭୁ ପ୍ରସାଦ ତରାଇ , ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ , ଏଡ଼ିଏମ ନିରଞ୍ଜନ ବେହୁରା , ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଜିତ ପଣ୍ଡାଙ୍କ ସମେତ ସିଡ଼ିଓ ଅକ୍ଷୟ ପିଲେ , କୁଜଙ୍ଗ ତହସିଲଦାର ଓ ବିଡ଼ିଓ ଯୋଗ ଦେଇଥିଲେ । ଚଳିତ ବର୍ଷ ୭ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଐତିହାସିକ ବାଲିଯାତ୍ରାରେ ନାମୀଦାମୀ କଳାକାର ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ । ସ୍ଥାନୀୟ କଳାକାରଙ୍କ ସହ କବିତା ପାଠ ଓ କବି ସମ୍ବିଳନୀ ମଧ୍ୟ କରାଯିବ । ଟ୍ରାଫିକ ବ୍ୟବସ୍ଥା , ଇଣ୍ଟରନେଟ ବ୍ୟବସ୍ଥା , ଖାଦ୍ୟ ନିରାପତ୍ତା ଓ ଏହାର ଗୁଣାତ୍ମକ ମାନ ଝାଞ୍ଜ ସହ ବାଲିଯାତ୍ରା ପଡିଆରେ ଆସୁଥିବା ମହିଳା ଓ ଶିଶୁ ମାନଙ୍କ ନିମନ୍ତେ ବେବି କେୟାର ଷ୍ଟଲ ନିର୍ମାଣ କରାଯିବ ବୋଲି ଆଲୋଚନା ହୋଇଛି । ଓଡ଼ିଆ ଅସ୍ମିତାର ପ୍ରତୀକ ଓ ଓଡ଼ିଆ ପୂର୍ବ ସୁଚ୍ଚି ତଥା ଓଡ଼ିଆ ଚାଲିଚଳଣିରେ ବ୍ୟବହୃତ ଘରକରଣା , ହଳ ଲଙ୍ଗଳ ଓ ହଜିଯାଉଥିବା କିଛି ଉପକରଣ ଗୁଡିକୁ ଚଳିତ ବର୍ଷ ଷ୍ଟଲରେ ନୂତନ ପିଢିଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କରାଯିବାକୁ ପ୍ରସ୍ତାବ ଆଗତ ହୋଇଛି । ଅଚଳ ସିସିସିଟିଭିକୁ ସଚଳ କରିବା ଓ ରାସ୍ତାରେ ଥିବା ଲାଇଟ ଗୁଡିକର ମରାମତି କରିବାକୁ ମଧ୍ୟ ପ୍ରସ୍ତାବ ଆଗତ ହୋଇଛି | ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ଦୀର୍ଘ ୭ ଦିନ କଳିଙ୍ଗ ବାଲିଯାତ୍ରା ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ବେଶ ଭବ୍ୟ ଓ ମନୋରମ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଛି ।