ଭୁବନେଶ୍ୱର: ଆଉ ମାତ୍ର କିଛି ଦିନର ଅପେକ୍ଷା,, ତା’ପରେ ଧରାପୃଷ୍ଠକୁ ଆସିବେ ମା’ ଦୁର୍ଗା। ରାଜଧାନୀର ଗଳିକନ୍ଦିରୁ ଆରମ୍ଭ କରି ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ଏବେଠାରୁ ପ୍ରସ୍ତୁତି ଜୋରଦାର ଚାଲିଛି। ପୂଜା ସମୟରେ ଅସମ୍ଭାଳ ଭିଡ଼ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବାରୁ, ଏହାକୁ ସୁଚାରୁ ରୂପେ ପରିଚାଳନା କରିବାକୁ ବିଏମ୍ସି (BMC) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ରାଜଧାନୀରେ ପ୍ରାୟ ୧୯୫ଟି ମଣ୍ଡପରେ ମା’ଙ୍କ ପୂଜା ଅନଷ୍ଠିତ ହେବ। ଏହାର ସଫଳ ରୂପାୟନ ନେଇ ମେୟର, କର୍ପୋରେଟର ଏବଂ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୪୦ଟି ନୂଆ ପାର୍କିଂ ସ୍ଥଳ
ପୂଜା ଦିନଗୁଡ଼ିକରେ ସାଧାରଣ ଲୋକଙ୍କ ଯାତାୟାତକୁ ସହଜ ଓ ସୁରକ୍ଷିତ କରିବା ପାଇଁ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମଣ୍ଡପଗୁଡ଼ିକ ଆଖପାଖରେ ଥିବା ରାସ୍ତାଘାଟର ଖାଲଖମାଗୁଡ଼ିକୁ ଆସନ୍ତା ୭ ଦିନ ଭିତରେ ସମ୍ପୂର୍ଣ୍ଣ ମରାମତି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ରାସ୍ତାକଡ଼ର ଅନାବଶ୍ୟକ ଗଛ ଡାଳ କାଟିବା ଏବଂ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ୪୦ଟି ନୂଆ ପାର୍କିଂ ସ୍ଥଳକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରାଥମିକତା ଦିଆଯାଇଛି।
ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ
ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୂଜା ସାମଗ୍ରୀ ସମେତ ନିର୍ମାଲ୍ୟ ଓ ଫୁଲ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ବିଜ୍ଞାପନ ନିୟମର କଡ଼ା ପାଳନ ସହିତ ପ୍ରତିମା ବିସର୍ଜନ ପାଇଁ କେବଳ ନିର୍ଦ୍ଦିଷ୍ଟ ପୋଖରୀଗୁଡ଼ିକୁ ବ୍ୟବହାର କରିବାକୁ କୁହାଯାଇଛି।
ଯାଞ୍ଚ ହେବ ତୋରଣ ଓ ମଣ୍ଡପର ସ୍ଥିରତା
ବର୍ଷା ଓ ପବନର ସମ୍ଭାବ୍ୟ ସ୍ଥିତିକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ବିଏମ୍ସି ଏବଂ ୱାର୍ଡ ଇଞ୍ଜିନିୟରମାନେ ମିଳିତ ଭାବେ ସହରର ସମସ୍ତ ତୋରଣ ଓ ମଣ୍ଡପର ଷ୍ଟ୍ରକଚରାଲ୍ ଷ୍ଟାବିଲିଟି (ସ୍ଥିରତା) ଯାଞ୍ଚ କରିବେ। ସେହିପରି ପୂଜା ଶେଷ ହେବାର ମାତ୍ର ୨ ରୁ ୩ ଦିନ ମଧ୍ୟରେ ମଣ୍ଡପଗୁଡ଼ିକୁ ସମ୍ପୂର୍ଣ୍ଣ ଖାଲି କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ସମନ୍ୱୟ ରକ୍ଷା କରାଯାଉଥିବାବେଳେ, ଆଗାମୀ ୩ ରୁ ୪ ଦିନ ଭିତରେ ସମସ୍ତ ଅସୁବିଧା ଦୂର କରିବାକୁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
Also Read: ଦୀପାବଳି ପୂର୍ବରୁ ଭୟଙ୍କର ବାଣ ବିସ୍ଫୋରଣ; ୨ ମୃତ, ୩ ଗୁରୁତର