ଜଗତସିଂହପୁର: ଦୀପାବଳି ପୂର୍ବରୁ ଜଗତସିଂହପୁରରେ ବଡ଼ ଅଘଟଣ। ବାଣ ତିଆରି କରୁଥିବା ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତିର୍ତ୍ତୋଲ ଥାନା ଅଧୀନ ମହିଳା ଗାଁରେ ବୁଧବାର ଅପରାହ୍ଣରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ମନୋରଞ୍ଜନ ସ୍ୱାଇଁଙ୍କ ଘରେ ବାଣ ଗଚ୍ଛିତ ଥିଲା। ବାଣ ତିଆରି କରୁଥିବା ସମୟରେ ହଠାତ୍ ଏହା ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପରିବାର ଲୋକେ ଘରୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଥିଲେ। ସେଠାରେ ଡାକ୍ତର ମନୋରଞ୍ଜନ ସ୍ୱାଇଁଙ୍କୁ ମୃତ ଘୋଷଣା କରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟ ସାହିଲ ସ୍ୱାଇଁଙ୍କ ମଧ୍ୟ ମୃତ୍ୟୁ ହୋଇଛି।
ଅନ୍ୟ ୩ ଗୁରୁତର ଆହତ ଶୁଭଲକ୍ଷ୍ମୀ ସ୍ୱାଇଁ, ଭାଗ୍ୟଲକ୍ଷ୍ମୀ ସ୍ୱାଇଁ ଓ ରାହୁଲ ରାଜ ମହାନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାବେଳେ ଘରର ବିଭିନ୍ନ ସାମଗ୍ରୀ ଏଣେତେଣେ ଛିଟିକି ପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ବାଣ ତିଆରି ପାଇଁ ପରିବାର ପାଖରେ ଆବଶ୍ୟକ ଲାଇସେନ୍ସ ଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।