ଭୁବନେଶ୍ୱର: ଯୁକ୍ତ-୨ ନାମଲେଖାକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଖାଲି ପଡ଼ିଥିବା ସିଟ୍ଗୁଡ଼ିକ ପୂରଣ ପାଇଁ ହାୟର ସେକେଣ୍ଡାରୀ ସ୍କୁଲରେ ଫେଜ୍-୩ ଇ-ଆଡମିଶନ ପ୍ରକ୍ରିୟା ଆରମ୍ଭ କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE), ଓଡ଼ିଶା।
ଏନେଇ ନାମଲେଖା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଅକ୍ଟୋବର ୧୨ ତାରିଖ ସକାଳ ୧୧ଟାରୁ SAMS Odisha ପୋର୍ଟାଲରେ Common Application Form (CAF) ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ନଭେମ୍ବର ୧ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିପାରିବେ।
ଏହି ତୃତୀୟ ପର୍ଯ୍ୟାୟ ନାମଲେଖାରେ ପୂର୍ବ ଦୁଇଟି ପର୍ଯ୍ୟାୟରେ ନାମ ଲେଖାଇ ପାରିନଥିବା ଛାତ୍ରଛାତ୍ରୀଙ୍କ ସହ ଫେଜ୍-୧ ଓ ଫେଜ୍-୨ରେ ଆବେଦନ କରିପାରିନଥିବା ଯୋଗ୍ୟ ପ୍ରାର୍ଥୀମାନେ ମଧ୍ୟ ସୁଯୋଗ ପାଇବେ।
କେବେ ପ୍ରକାଶ ପାଇବ ମେଧା ତାଲିକା?
ପ୍ରଥମ ଚୟନ ମେଧା ତାଲିକା ନଭେମ୍ବର ୪ ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀ ନଭେମ୍ବର ୫ ତାରିଖ ଅପରାହ୍ଣ ୨ଟାରୁ ନଭେମ୍ବର ୧୦ ତାରିଖ ଅପରାହ୍ଣ ୩ଟା ମଧ୍ୟରେ ନିଜ ଆବଣ୍ଟିତ ହାୟର ସେକେଣ୍ଡାରୀ ସ୍କୁଲରେ ରିପୋର୍ଟ କରି ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ।
ଏହାପରେ ନଭେମ୍ବର ୧୨ ତାରିଖ ଅପରାହ୍ଣ ୨ଟାରେ ୱେଟିଂ ଲିଷ୍ଟ ପ୍ରକାଶ ପାଇବ। ନଭେମ୍ବର ୧୦ରେ ନାମଲେଖା ଶେଷ ହେବା ପରେ ଖାଲି ରହିଥିବା ସିଟ୍ ଅନୁପାତରେ ୧:୧୦ ହାରରେ ଏହି ତାଲିକା ପ୍ରସ୍ତୁତ ହେବ।
ୱେଟିଂ ଲିଷ୍ଟରେ ଥିବା ପ୍ରାର୍ଥୀଙ୍କ ଫିଜିକାଲ୍ ରେଜିଷ୍ଟ୍ରେସନ୍ ନଭେମ୍ବର ୧୩ ତାରିଖ ସକାଳ ୧୦ଟାରୁ ଅପରାହ୍ଣ ୩ଟା ମଧ୍ୟରେ ହେବ। ସେହିଦିନ ଅପରାହ୍ଣ ୪ଟା ୩୦ରେ ଅନ୍ତିମ ମେଧା ତାଲିକା ପ୍ରକାଶ ପାଇବ। ନଭେମ୍ବର ୧୩ ସନ୍ଧ୍ୟା ୫ଟାରୁ ନଭେମ୍ବର ୧୬ ରାତି ୯ଟା ପର୍ଯ୍ୟନ୍ତ ନାମଲେଖା ଅପଡେଟ୍ କରାଯିବ।
କିଏ କରିପାରିବେ ଆବେଦନ?
ଆବେଦନକାରୀ BSE Odisha ଦ୍ୱାରା ପରିଚାଳିତ HSC ପରୀକ୍ଷା କିମ୍ବା ଅନ୍ୟ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡର ସମକକ୍ଷ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ। ତେଣୁ ଯୁକ୍ତ-୨ରେ ନାମଲେଖା ପାଇଁ ଅପେକ୍ଷା କରିଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଫେଜ୍-୩ ଆଡମିଶନ୍ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହେବ।