ଭୁବନେଶ୍ୱର: ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପାଇଁ ବଡ଼ ଆଶ୍ୱସ୍ତି। ରାଜ୍ୟର ୧୫ଟି ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନ ବିରୋଧରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ପକ୍ଷରୁ ଜାରି ହୋଇଥିବା ଶୋ-କଜ୍ ନୋଟିସ୍ ପ୍ରତ୍ୟାହାର କରାଯାଇଛି। ଏହା ଫଳରେ ରାଜ୍ୟରେ B.Ed. ଓ M.Ed. ପଢ଼ୁଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଶ୍ୱସ୍ତି ମିଳିଛି।
ଅକ୍ଟୋବର ୧, ୨୦୨୬ରେ ଅନୁଷ୍ଠିତ NCTEର ଇଷ୍ଟର୍ଣ୍ଣ ରିଜିଓନାଲ୍ କମିଟି (ERC)ର ୪୧୦ତମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଦାଖଲ କରିଥିବା କମ୍ପ୍ଲାଏନ୍ସ ରିପୋର୍ଟ ଏବଂ ସଂପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନୁମୋଦନ କରିଥିବା ଅଧ୍ୟାପକଙ୍କ ତାଲିକାକୁ କମିଟି ପକ୍ଷରୁ ବିସ୍ତୃତ ଭାବେ ଯାଞ୍ଚ କରାଯାଇଥିଲା।
ଯାଞ୍ଚ ପରେ ନିୟମ ଅନୁପାଳନ ସମ୍ପର୍କରେ ଆଉ କୌଣସି ପଦକ୍ଷେପର ଆବଶ୍ୟକତା ନଥିବା ନିଷ୍ପତ୍ତିରେ ପହଞ୍ଚିଥିଲା ERC। ଫଳରେ ସମସ୍ତ ୧୫ଟି ସରକାରୀ ଶିକ୍ଷକ ତାଲିମ ପ୍ରତିଷ୍ଠାନ ବିରୋଧରେ ଚାଲିଥିବା ପ୍ରକ୍ରିୟାକୁ ବନ୍ଦ କରାଯାଇଛି।
ପୂର୍ବରୁ NCTE ନିୟମ ଅନୁଯାୟୀ ଏହି ପ୍ରତିଷ୍ଠାନଗୁଡ଼ିକ ଯାଞ୍ଚର ସମ୍ମୁଖୀନ ହୋଇଥିଲେ। ପରେ ସେମାନଙ୍କ ପକ୍ଷରୁ ଦାଖଲ ହୋଇଥିବା ଉତ୍ତର ଓ ସହାୟକ ଦସ୍ତାବିଜଗୁଡ଼ିକର ବିସ୍ତୃତ ସମୀକ୍ଷା କରି NCTE ଏହି ନିଷ୍ପତ୍ତି ନେଇଛି।
ଏହି ନିଷ୍ପତ୍ତିକୁ ଓଡ଼ିଶାର ଶିକ୍ଷକ ଶିକ୍ଷା କ୍ଷେତ୍ର ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି। ଉଚ୍ଚଶିକ୍ଷା ବିଭାଗ, ଶିକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ସଂପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଭଲ ସମନ୍ୱୟର ଏହା ଏକ ଉଦାହରଣ ବୋଲି ଶିକ୍ଷା କ୍ଷେତ୍ରର ମହଲରେ କୁହାଯାଉଛି। ଏହା ଫଳରେ ଶିକ୍ଷକ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଭରସା ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।