ଭୁବନେଶ୍ୱର: ଦୀର୍ଘଦିନ ଧରି ଓଡ଼ିଶା ପୋଲିସ୍ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୧ରୁ ଅପେକ୍ଷାରେ ଥିବା ଏହି ନିଯୁକ୍ତି ପରୀକ୍ଷା ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଛି। ସୋମବାର ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ କହିଛନ୍ତି ଯେ, ଆସନ୍ତା ୭–୮ ଦିନ ମଧ୍ୟରେ SI ପରୀକ୍ଷା ସମ୍ପର୍କିତ ନୋଟିଫିକେସନ୍ ଜାରି ହେବାର ସମ୍ଭାବନା ରହିଛି।
ନୋଟିଫିକେସନ୍ ପ୍ରକାଶ ପରେ ପ୍ରାର୍ଥୀମାନଙ୍କୁ ନିଜ ଆବେଦନର ବିବରଣୀ ପୁଣିଥରେ ଯାଞ୍ଚ କରିବାର ସୁଯୋଗ ଦିଆଯିବ। ମୋବାଇଲ୍ ନମ୍ବର, ଇ-ମେଲ୍ ଓ ଅନ୍ୟାନ୍ୟ ତଥ୍ୟ OTP ମାଧ୍ୟମରେ ଭେରିଫାଏ କରାଯିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ଆଡମିଟ୍ କାର୍ଡ ଜାରି କରାଯିବ।
ସୂଚନା ଅନୁସାରେ, ଲିଖିତ ପରୀକ୍ଷା ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଲିଖିତ ପରୀକ୍ଷା ପରେ ଫିଜିକାଲ୍ ଟେଷ୍ଟ ଓ ଶର୍ଟଲିଷ୍ଟ ପ୍ରକାଶ ପ୍ରକ୍ରିୟା ହେବ। ସମଗ୍ର ନିଯୁକ୍ତି ପ୍ରକ୍ରିୟାକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି।
ଏଥର SI ପରୀକ୍ଷାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ପରୀକ୍ଷା ଅନଲାଇନ୍ ବଦଳରେ OMR ସିଟ୍ ମାଧ୍ୟମରେ ଅନୁଷ୍ଠିତ ହେବ। ଏହାସହ ପରୀକ୍ଷା କୌଣସି ଥାର୍ଡ-ପାର୍ଟି ଏଜେନ୍ସି ନୁହେଁ, OUSSSC ନିଜେ ପରିଚାଳନା କରିବ। ପ୍ରାର୍ଥୀମାନେ ପ୍ରସ୍ତୁତ ରହିବାକୁ କମିଶନ୍ ପକ୍ଷରୁ କୁହାଯାଇଛି। ଚୂଡ଼ାନ୍ତ ତାରିଖ ଓ ଅନ୍ୟାନ୍ୟ ବିବରଣୀ ଅଫିସିଆଲ୍ ନୋଟିଫିକେସନ୍ ପରେ ସ୍ପଷ୍ଟ ହେବ।