ନୂଆଦିଲ୍ଲୀ: ପୁଣି ଅଶାନ୍ତ ହୋଇପଡ଼ିଛି ପଡ଼ୋଶୀ ବାଂଲାଦେଶ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ଫେରିବା ଯୋଜନାକୁ ନେଇ ଦେଶରେ ରାଜନୈତିକ ଉତ୍ତେଜନା ବଢ଼ିଥିବା ବେଳେ ହିଂସା, ଅଗ୍ନିକାଣ୍ଡ ଓ ବୋମାମାଡ଼ ଘଟଣା ସ୍ଥିତିକୁ ଗମ୍ଭୀର କରିଦେଇଛି। ଏହି ଅଶାନ୍ତି ମଧ୍ୟରେ ନୋବେଲ ବିଜେତା ତଥା ବାଂଲାଦେଶର ପୂର୍ବତନ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଚଟ୍ଟୋଗ୍ରାମସ୍ଥିତ ପୈତୃକ ଘରେ ନିଆଁ ଲଗାଇ ଦିଆଯାଇଛି। ତେବେ ପୋଲିସ ତୁରନ୍ତ ନିଆଁକୁ ଆୟତ୍ତ କରିଥିବାରୁ ବଡ଼ ଅଘଟଣ ଟଳିଯାଇଛି।
ୟୁନୁସଙ୍କ ପୈତୃକ ଘରେ ନିଆଁ, ଷଡ଼ଯନ୍ତ୍ର ସନ୍ଦେହ
ବୁଧବାର ବିଳମ୍ବିତ ରାତିରେ ଚଟ୍ଟୋଗ୍ରାମର ପଞ୍ଚଲାଇଶ ଅଞ୍ଚଳରେ ଥିବା ମହମ୍ମଦ ୟୁନୁସଙ୍କ ପୈତୃକ ଘରେ ଅଗ୍ନିକାଣ୍ଡ ଘଟିଥିଲା। ପୋଲିସର ସୂଚନା ଅନୁସାରେ, ଘରର ତଳ ମହଲାରେ ଥିବା ଏକ ଅବ୍ୟବହୃତ କୋଠରିରେ ନିଆଁ ଲାଗିଥିଲା। ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀ ଏହା ଦେଖିବା ପରେ ତୁରନ୍ତ ନିଆଁ ଲିଭାଇଥିଲେ।
ସ୍ଥାନୀୟ ପୋଲିସ ଅଧିକାରୀ ମୋଜାମେଲ ହକ୍ଙ୍କ କହିବା ଅନୁଯାୟୀ, ଘଟଣା ପଛରେ ଦୁର୍ବୃତ୍ତଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଜ୍ୱଳନଶୀଳ ପଦାର୍ଥ ବ୍ୟବହାର କରି ନିଆଁ ଲଗାଯାଇଥିବା ଆଶଙ୍କା ରହିଛି। ତେବେ ଘରର ଉପର ମହଲାରେ ରହୁଥିବା ୟୁନୁସଙ୍କ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି।
ହସିନାଙ୍କ ଫେରିବା ଘୋଷଣା ପରେ ବଢ଼ିଲା ଉତ୍ତେଜନା
୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହୋଇ ଭାରତରେ ରହୁଛନ୍ତି ଶେଖ୍ ହସିନା। ସେ ଆସନ୍ତା ଡିସେମ୍ବରରେ ବାଂଲାଦେଶ ଫେରିବାକୁ ଯୋଜନା କରୁଥିବା କଥା କହିବା ପରେ ଦେଶର ରାଜନୈତିକ ପରିସ୍ଥିତି ଅଧିକ ଉତ୍ତପ୍ତ ହୋଇଛି।
ହସିନାଙ୍କ ଦଳ ଆୱାମୀ ଲିଗ୍ ଉପରେ ବର୍ତ୍ତମାନ ବାଂଲାଦେଶରେ ପ୍ରତିବନ୍ଧକ ରହିଛି। ତଥାପି ଦଳ ପକ୍ଷରୁ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଛି। ହସିନାଙ୍କ ଦେଶକୁ ଫେରିବା ପାଇଁ ଆବଶ୍ୟକ ପାସପୋର୍ଟ ଓ ପରିଚୟପତ୍ର ଅନୁରୋଧକୁ ସରକାର ଗ୍ରହଣ ନକରିବା ପରେ ଦଳ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହାର ଅଂଶ ଭାବେ ନଭେମ୍ବର ୧୯ରେ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରାଯାଇଥିଲା।
୭ ଜିଲ୍ଲାରେ ୯୭ ପ୍ଲାଟୁନ୍ ସୁରକ୍ଷାବଳ ମୁତୟନ
ହିଂସାକୁ ନିୟନ୍ତ୍ରଣ କରିବା ଲାଗି ବାଂଲାଦେଶ ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ସମ୍ବେଦନଶୀଳ ୭ଟି ଜିଲ୍ଲାରେ ବର୍ଡର ଗାର୍ଡ ବାଂଲାଦେଶ (BGB)ର ୯୭ ପ୍ଲାଟୁନ୍ ଯବାନଙ୍କୁ ମୁତୟନ କରାଯାଇଛି। ଢାକା, ଚଟ୍ଟୋଗ୍ରାମ, ନାରାୟଣଗଞ୍ଜ, ଗାଜୀପୁର, ଗୋପାଳଗଞ୍ଜ, ମୟମନସିଂହ ଓ ଫରିଦପୁର ଭଳି ଅଞ୍ଚଳରେ ସୁରକ୍ଷାବଳ ମୁତୟନ ହୋଇଛନ୍ତି। ଏହି ଯବାନମାନେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ସହ ମିଶି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି।
ବୋମାମାଡ଼, ଗାଡ଼ି ପୋଡ଼ାଜଳା; ଅନେକ ଜିଲ୍ଲା ପ୍ରଭାବିତ
ଗତ ୧୦ ଦିନ ମଧ୍ୟରେ ବାଂଲାଦେଶର ଅତିକମ୍ରେ ୨୮ଟି ଜିଲ୍ଲାରେ ବୋମା ବିସ୍ଫୋରଣ, ଗାଡ଼ି ପୋଡ଼ାଜଳା ଓ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି। ଏଥିରେ ପୋଲିସ କର୍ମଚାରୀଙ୍କ ସମେତ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। କେତେକ ସ୍ଥାନରେ ରାଜନୈତିକ ନେତାଙ୍କ ଘର, ଦୋକାନ ଓ ଯାନବାହନକୁ ଟାର୍ଗେଟ୍ କରାଯାଇଛି। ରାଜଧାନୀ ଢାକାରେ ମନ୍ତ୍ରୀଙ୍କ ବାସଭବନ ନିକଟରେ ମଧ୍ୟ ବୋମା ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏହା ସହିତ ୟୁନୁସଙ୍କ ପ୍ରତିଷ୍ଠିତ ଗ୍ରାମୀଣ ବ୍ୟାଙ୍କର ଅନେକ ଶାଖା ଉପରେ ମଧ୍ୟ ଆକ୍ରମଣ ହୋଇଛି।