ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ। ଭାରତୀୟ ସମ୍ବିଧାନକୁ ସେ ଏକ ଛଳନା ଓ ଦେଖାଣିଆ ବ୍ୟବସ୍ଥା ବୋଲି କହିଛନ୍ତି। ଏହାର ଉଦ୍ଦେଶ୍ୟ ସାଧାରଣ ଲୋକଙ୍କୁ ଭ୍ରମିତ କରିବା ବୋଲି ତାଙ୍କ ମତ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟ କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।
ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ଯାଆନ୍ତି ନାହିଁ କାହିଁକି?
ଜଷ୍ଟିସ୍ କାଟଜୁଙ୍କ କହିବା ଅନୁସାରେ, ପ୍ରତିବର୍ଷ ନଭେମ୍ବର ୨୬ରେ ପାଳନ କରାଯାଉଥିବା ସମ୍ବିଧାନ ଦିବସ ଅବସରରେ ସୁପ୍ରିମକୋର୍ଟ ପକ୍ଷରୁ ତାଙ୍କୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଏ। ଭାରତର ପ୍ରଧାନ ବିଚାରପତି ଏହି ନିମନ୍ତ୍ରଣ ପଠାଇଥାନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟର ଅନ୍ୟ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀ ଓ ଆଟର୍ଣ୍ଣି ଜେନେରାଲଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦିଅନ୍ତି।
କିନ୍ତୁ ନିଜର ବିଚାରଧାରା ଯୋଗୁଁ ସେ ଏହି କାର୍ଯ୍ୟକ୍ରମରେ କେବେ ଯୋଗ ଦିଅନ୍ତି ନାହିଁ ବୋଲି କହିଛନ୍ତି। ତାଙ୍କ ମତରେ, ସମ୍ବିଧାନରେ ଯେଉଁ ଆଦର୍ଶ ଓ ଅଧିକାରର କଥା କୁହାଯାଇଛି, ବାସ୍ତବ ଜୀବନରେ ସେଗୁଡ଼ିକର ପ୍ରତିଫଳନ ଦେଖିବାକୁ ମିଳୁନାହିଁ।
ଗରିବଙ୍କ ପାଇଁ ମୌଳିକ ଅଧିକାରର ଅର୍ଥ କ'ଣ?
ଜଷ୍ଟିସ୍ କାଟଜୁ ନିଜ ପୋଷ୍ଟରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ଏବଂ ମୌଳିକ ଅଧିକାରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ସମ୍ବିଧାନରେ 'ଆମେ ଭାରତର ଲୋକ', ଗଣତାନ୍ତ୍ରିକ ଓ ସାର୍ବଭୌମ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏହାଦ୍ୱାରା ଦେଶର ଶାସନ କ୍ଷମତା ସାଧାରଣ ଲୋକଙ୍କ ହାତରେ ଥିବା ଭାବନା ସୃଷ୍ଟି ହୁଏ। କିନ୍ତୁ ବାସ୍ତବରେ କିଛି ହାତଗଣତି ପ୍ରଭାବଶାଳୀ ବ୍ୟକ୍ତି ହିଁ ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ଦେଶରେ ବ୍ୟାପକ ଗରିବୀ, ବେକାରୀ ଓ ଭୋକିଲା ସମସ୍ୟା ଥିବାବେଳେ କେବଳ ମୌଳିକ ଅଧିକାର ଏବଂ ସ୍ୱାଧୀନତାର କଥା କହିବା ଯଥେଷ୍ଟ ନୁହେଁ ବୋଲି ତାଙ୍କ ମତ। ଜଣେ ଭୋକିଲା ଓ ବେକାର ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ଏବଂ ରୋଜଗାର ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ନିଜ ମତ ରଖିଛନ୍ତି।
ସମ୍ବିଧାନରେ ଲେଖିଦେଲେ ଦେଶ ଧର୍ମନିରପେକ୍ଷ ହୋଇଯାଏ ନାହିଁ
ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। କିନ୍ତୁ କେବଳ ସମ୍ବିଧାନରେ ଲେଖିଦେଲେ ଏହା ବାସ୍ତବରେ ପ୍ରତିଷ୍ଠିତ ହୋଇଯାଏ ନାହିଁ ବୋଲି କାଟଜୁ କହିଛନ୍ତି। ତାଙ୍କ ଅନୁସାରେ, ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ପ୍ରତି କିଭଳି ବ୍ୟବହାର କରାଯାଉଛି, ତାହା ହିଁ ଧର୍ମନିରପେକ୍ଷତାର ବାସ୍ତବ ସ୍ଥିତିକୁ ଦର୍ଶାଏ। ସମ୍ବିଧାନରେ ଉଲ୍ଲେଖିତ ଆଦର୍ଶ ଓ ଦେଶର ବାସ୍ତବ ସ୍ଥିତି ମଧ୍ୟରେ ବଡ଼ ବ୍ୟବଧାନ ରହିଥିବା ସେ ଦାବି କରିଛନ୍ତି।