କୋରାପୁଟ: ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ନଭେମ୍ବର ୨୯ ତାରିଖ ବଦଳରେ ଆସନ୍ତା ଡିସେମ୍ବର ୨ ତାରିଖରେ ଏଠାରେ ମତଦାନ ଅନୁଷ୍ଠିତ ହେବ। ଆସନ୍ତା ୨୯ ତାରିଖରେ କୋଟିଆରେ ଓଡ଼ିଶା ପକ୍ଷରୁ ‘ପରବ’ ମହୋତ୍ସବ ଆୟୋଜନ କରାଯିବା ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଘୋଷଣା କରିବା ପରେ, ଆନ୍ଧ୍ର ପ୍ରଶାସନ ଏଭଳି ରଣନୈତିକ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ପୂର୍ବ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ, ଏବେ ତାରିଖ ବଦଳାଇ ନିଜ ଏଜେଣ୍ଟଙ୍କ ଜରିଆରେ ମତଦାନ ହାର ବଢ଼ାଇବାକୁ ଆନ୍ଧ୍ର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି।
କୋଟିଆରେ ନିର୍ବାଚନ କରାଇ ଦିଆଯିବନି: ଉପଜିଲ୍ଲାପାଳ ଅନ୍ୟପକ୍ଷରେ, ଆନ୍ଧ୍ରର ଏହି ଚାଲ୍କୁ ପ୍ରତିହତ କରିବା ପାଇଁ ଓଡ଼ିଶା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବୁଧବାର କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ କୋଟିଆ ଗସ୍ତ କରି ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। କୌଣସି ପରିସ୍ଥିତିରେ ବି କୋଟିଆ ମାଟିରେ ଆନ୍ଧ୍ରକୁ ନିର୍ବାଚନ କରାଇ ଦିଆଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ପୂର୍ବରୁ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନକୁ ଯେପରି ବିରୋଧ କରାଯାଇଥିଲା, ଆଗାମୀ ସରପଞ୍ଚ ନିର୍ବାଚନକୁ ମଧ୍ୟ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ବିରୋଧ କରାଯିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି ସ୍ପଷ୍ଟ କରିଛନ୍ତି।
ଆନ୍ଧ୍ର ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ପଛରେ ସ୍ଥାନୀୟ ଆନ୍ଧ୍ର ଏଜେଣ୍ଟମାନଙ୍କର ପ୍ରମୁଖ ଭୂମିକା ରହିଥିବା ଅଭିଯୋଗ ହୋଇଛି। ପୂର୍ବରୁ ସମିତିସଭ୍ୟ ନିର୍ବାଚନ ସମୟରେ ନେରେଡ଼ିବାଲସାରେ ଆନ୍ଧ୍ର ଓ ଓଡ଼ିଶା ପୁଲିସ ମୁହାଁମୁହିଁ ହୋଇଥିବା ବେଳେ, ଏହି ଏଜେଣ୍ଟମାନେ 'ଓଡ଼ିଶା ଗୋ-ବ୍ୟାକ୍' ନାରା ଦେଇଥିଲେ। କେବଳ ସେତିକି ନୁହେଁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଫାଟୁସିନେରୀ ଗସ୍ତ ଓ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମର ପୂର୍ବ ଦିନ ମଧ୍ୟ ଏମାନେ ଓଡ଼ିଶା ସରକାରଙ୍କ ଫଳକ ଓ ଟେଣ୍ଟ ଭାଙ୍ଗି ଦେଇଥିଲେ। କୋଟିଆରେ ଆନ୍ଧ୍ରର ସମସ୍ତ ପ୍ରକଳ୍ପ ଓ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏହି ଏଜେଣ୍ଟମାନେ ମୁଖ୍ୟ ସୂତ୍ରଧର ସାଜିଥିବାରୁ, ସେମାନଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।