ବିବାହ ଉତ୍ସବର ଖୁସି ମାହୋଲରୁ ଫେରୁଥିବା ବେଳେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା। ଘାଟି ରାସ୍ତାରେ ଭାରସାମ୍ୟ ହରାଇ ୧୦୦ ଫୁଟ୍ ଗଭୀର ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ମିନିବସ୍। ଏହି ଛାତିଥରା ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲା ଅନ୍ତର୍ଗତ କୋଡାଇକାନାଲ-ପାଲାନି ଘାଟି ରାସ୍ତାର ସାଭରିକାଡୁ ନିକଟରେ ଗୁରୁବାର ରାତିରେ ଏହି ଅଘଟଣ ଘଟିଛି।
ବିବାହ ରିସେପ୍ସନରୁ ଫେରିବା ବେଳେ ଅଘଟଣ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ମିନିବସ୍ରେ ମୋଟ ୨୪ ଜଣ ଯାତ୍ରୀ ଥିଲେ। ସେମାନେ ସମସ୍ତେ ପାଲାନିର ମଦିନା ନଗର ଏବଂ ଉଦୁମଲପେଟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। କୋଡାଇକାନାଲର ମୁଞ୍ଜିକ୍କଲ ନିକଟରେ ଆୟୋଜିତ ଏକ ବିବାହ ରିସେପ୍ସନ୍ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତେ ଖୁସି ମନରେ ଘରକୁ ଫେରୁଥିଲେ। ତେବେ ସାଭରିକାଡୁ ନିକଟରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ମିନିବସ୍ଟି ସିଧାସଳଖ ଗଭୀର ଖାଇ ଭିତରକୁ ଖସିପଡ଼ିଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଡିଣ୍ଡିଗୁଲ ସାଂସଦ ସଚ୍ଚିଦାନନ୍ଦମ ସ୍ପଷ୍ଟ କରିଛନ୍ତି।
ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ପୁଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପାଲାନି ଓ କୋଡାଇକାନାଲରୁ ଅଗ୍ନିଶମ ବାହିନୀ, ପୁଲିସ ଏବଂ ସ୍ଥାନୀୟ ବାସିନ୍ଦା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖାଇ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିବାହ ଭୋଜିରୁ ଫେରୁଥିବା ବେଳେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।