ଲକ୍ଷ୍ନୌ: ଯାହାଙ୍କୁ ସମ୍ମାନ ଜଣାଇବା ପାଇଁ ପୋଲିସ ପ୍ରସ୍ତୁତ ହୋଇଥିଲା, ତାଙ୍କ ବଦଳରେ ଅନ୍ୟ ଜଣଙ୍କୁ ଦେଇଦେଲା ସଲାମୀ। ଏଭଳି ଏକ ଅଜବ ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ଉତ୍ତରପ୍ରଦେଶ ପୋଲିସ। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କୁ ଗାର୍ଡ ଅଫ୍ ଅନର ଦେବା ପାଇଁ ମୁତୟନ ହୋଇଥିବା ପୋଲିସ କର୍ମଚାରୀ ଭୁଲବଶତଃ AIMIM ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀଙ୍କୁ ସଲାମୀ ଦେଇଛନ୍ତି। ସହାରନପୁର ସର୍କିଟ ହାଉସରେ ଘଟିଥିବା ଏହି ଘଟଣା ଏବେ ପୋଲିସର କାର୍ଯ୍ୟଶୈଳୀ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।
ସୂଚନା ଅନୁସାରେ, ଶନିବାର ସହାରନପୁର ସର୍କିଟ ହାଉସକୁ ସୁପ୍ରିମକୋର୍ଟର ଜଣେ ବିଚାରପତି ଆସିବାର କାର୍ଯ୍ୟକ୍ରମ ଥିଲା। ତାଙ୍କୁ ଗାର୍ଡ ଅଫ୍ ଅନର ଦେବା ପାଇଁ ପୂର୍ବରୁ ପୋଲିସ କର୍ମଚାରୀମାନେ ସେଠାରେ ମୁତୟନ ହୋଇଥିଲେ। ହେଲେ ବିଚାରପତିଙ୍କ ପହଞ୍ଚିବା ପୂର୍ବରୁ ସକାଳ ପ୍ରାୟ ୧୧ଟା ୩୦ରେ ନିଜ କାଫିଲା ସହ ସେଠାରେ ପହଞ୍ଚିଥିଲେ ଓୱେସୀ।
ଓୱେସୀ ଗାଡ଼ିରୁ ଓହ୍ଲାଇ ସର୍କିଟ ହାଉସ ଭିତରକୁ ଯିବା ସମୟରେ ସେଠାରେ ମୁତୟନ ପୋଲିସ କର୍ମଚାରୀମାନେ ସତର୍କ ହୋଇଯାଇଥିଲେ। ତେବେ ଭୁଲବଶତଃ ସେମାନେ ଓୱେସୀଙ୍କୁ ହିଁ ଗାର୍ଡ ଅଫ୍ ଅନର ଦେଇଥିଲେ। ପୋଲିସର ସଲାମୀ ଗ୍ରହଣ କରିବା ପରେ ଓୱେସୀ ନଗିନା ସାଂସଦ ଚନ୍ଦ୍ରଶେଖରଙ୍କ ସହ ସର୍କିଟ ହାଉସ ଭିତରକୁ ଯାଇଥିଲେ। ପରେ ନିଜର ଭୁଲ୍ ଜାଣିବା ପରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା।
ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ତେବେ ଏହି ଘଟଣା ପରେ ପୋଲିସର ପ୍ରସ୍ତୁତି ଓ ଭିଆଇପି ପ୍ରୋଟୋକଲ ପାଳନକୁ ନେଇ ପ୍ରଶ୍ନ ଉଠିଛି। ଗାର୍ଡ ଅଫ୍ ଅନର ଦେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରାଗଲା ନାହିଁ କାହିଁକି? କାହା ପାଇଁ କେଉଁ କାର୍ଯ୍ୟକ୍ରମ ରହିଛି, ତାହା ପୋଲିସ କର୍ମଚାରୀଙ୍କୁ ସ୍ପଷ୍ଟ ଭାବେ ଜଣାଯାଇନଥିଲା କି? ନା ତରବରିଆ ଭାବେ ଏଭଳି ଭୁଲ୍ ହୋଇଗଲା? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।
ଅନ୍ୟପଟେ, ସେହି ଦିନ ସର୍କିଟ ହାଉସରେ ଓୱେସୀ ଓ ଚନ୍ଦ୍ରଶେଖରଙ୍କ ଏକ ସାମ୍ବାଦିକ ସମ୍ମିଳନୀ ହେବାର କାର୍ଯ୍ୟକ୍ରମ ମଧ୍ୟ ଥିଲା। ଉଭୟ ନେତା ସେଠାରେ ପହଞ୍ଚିବା ସହ କିଛି ସମୟ ଆଲୋଚନା କରିଥିଲେ। ହେଲେ ହଠାତ୍ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରାଯାଇଥିଲା। ଏହାପରେ ଉଭୟ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ କଲେକ୍ଟରେଟ୍ ଯାଇଥିଲେ।