ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ “ବୁଝାମଣା କରୁଥିବା ପ୍ରଧାନମନ୍ତ୍ରୀ” ବୟାନ ପରେ ରାଜନୀତି ପାଣିପାଗ ଉଷ୍ଣ ହୋଇଛି । ବିଜେପି ମୁଖପାତ୍ର ତୁହିନ ସିହ୍ନାଙ୍କ ସିଧାସଳଖ ଜବାବ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ରାହୁଲଙ୍କୁ ପ୍ରଶ୍ନବାଣରେ ଘେରିଛନ୍ତି ।
କିରଣ ରିଜିଜୁ କଂଗ୍ରେସକୁ ଚାରୋଟି ପ୍ରଶ୍ନ ପଚାରି ତାର ଜବାବ ଆଶା କରିଛନ୍ତି । ୧୯୬୨ ଚୀନ-ଭାରତ ଯୁଦ୍ଧ ସମୟରେ ଚୀନ ତାଙ୍କ ଗାଁ (ରିଜିଜୁଙ୍କ ଗ୍ରାମ)କୁ କବଜା କରିଥିଲା । ତେଣୁ କିରଣଙ୍କ ପ୍ରଥମ ପ୍ରଶ୍ନ ରହିଛି, ୧୯୬୨ ମସିହାରେ ଚୀନ ତାଙ୍କ ଗ୍ରାମକୁ କବଜା କରିଥିଲା, ଏହି ଅପମାନ ପାଇଁ କଂଗ୍ରେସ ଭୁଲ ମାଗିବ କି ? ଦ୍ୱିତୀୟ ପ୍ରଶ୍ନ କଂଗ୍ରେସ ସବୁବେଳେ ଭାରତକୁ ଏକ ଗରିବ ଦେଶରେ ପରିଣତ କରି ରଖିଥିଲା, କାହିଁକି ? ତୃତୀୟ ପ୍ରଶ୍ନ, ଭାରତକୁ କାହିଁକି ସାପ ଖେଳାଳିଙ୍କ ଦେଶ ବୋଲି କୁହାଯାଉଥିଲା? ଭାରତର ଅର୍ଥନୀତିକୁ ‘ହିନ୍ଦୁ ଅଭିବୃଦ୍ଧି ହାର’ (Hindu rate of growth) ବୋଲି କହି କାହିଁକି ଏହାର ସମାଲୋଚନା କରାଯାଇଥିଲା?
ରିଜିଜୁ, ରାହୁଲ ଗାନ୍ଧୀଙ୍କୁ ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଦେଶ ଭିତରେ କିମ୍ବା ବାହାରେ ଦେଶ ବିରୋଧରେ ବୟାନ ନ ଦିଅନ୍ତୁ ।
ଗତକାଲି ରାହୁଲ ଗାନ୍ଧୀ ଚୀନରେ ଅନୁଷ୍ଠିତ 'ଏସିଆ-ପାସିଫିକ୍ ଇକୋନୋମିକ୍ କୋଅପରେସନ୍' (APEC) ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ହୋଇଥିବା ଏକ ତ୍ରିପାକ୍ଷିକ ବୈଠକକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଥିଲେ । ରାହୁଲ କହିଥିଲେ ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା ତାହା ହେଲେ ଏହି ବୈଠକରେ ଭାରତ ବସିଥାଆନ୍ତା । ଜଣେ ବୁଝାମଣା କରୁଥିବା ପ୍ରଧାନମନ୍ତ୍ରୀ କେବେବି ବସିପାରିବେ ନାହିଁ ବୋଲି ସେ କହିଥିଲେ ।