ନୂଆଦିଲ୍ଲୀ: ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ ସତୀନ୍ଦରଜିତ ସିଂହ ଓରଫ୍ ଗୋଲ୍ଡି ବ୍ରାର୍ ବିରୋଧରେ କଠୋର ହୋଇଛି । ଏଫବିଆଇର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ୧୦ ଜଣ ଫେରାର ଅପରାଧୀଙ୍କ ମଧ୍ୟରେ ଗୋଲ୍ଡି ନାମକୁ ସାମିଲ କରାଯାଇଛି ।
ଏଫବିଆଇର ଘୋଷଣା ମୁତାବକ ଯିଏ ଗୋଲ୍ଡି ବିଷୟରେ ସୂଚନା ପ୍ରଦାନ କରିବ, ସୂଚନା ପ୍ରଦାନକାରୀକୁ ପୁରସ୍କାର ଆକାରରେ ୧ ନିୟୁତ ଡଲାର ପର୍ଯ୍ୟନ୍ତ ମିଳିବ । ବ୍ରାରକୁ ଗିରଫ କରିବା ପାଇଁ ଆମେରିକା ଏବଂ କାନାଡାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏହି ପଦକ୍ଷେପ ନେଇଛନ୍ତି ।
ଏଫବିଆଇ କହିଛି ଯେ ଅନେକଗୁଡ଼ିଏ ସଂଘଗତ ଅପରାଧ ମାମଲାରେ ବ୍ରାର୍କୁ ଖୋଜା ଚାଲିଛି। ଏହି ଅପରାଧଗୁଡ଼ିକ ମଧ୍ୟରେ ବାଣିଜ୍ୟ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବା ଷଡ଼ଯନ୍ତ୍ର ଓ ଚାନ୍ଦା ଆଦାୟ, ନିଶାଦ୍ରବ୍ୟ କାରବାର ଓ ବଣ୍ଟନ କରିବା ଷଡ଼ଯନ୍ତ୍ର ସାମିଲ ରହିଛି। ଏହା ବ୍ୟତୀତ, ସେ ବିଭିନ୍ନ ଦେଶରେ 'ବିଷ୍ଣୋଇ ନେଟୱାର୍କ'ର କାର୍ଯ୍ୟକଳାପକୁ ସୁଗମ କରିବାରେ ସହାୟତା କରିଥିବା ଅଭିଯୋଗ ମଧ୍ୟ ରହିଛି। ଏଫବିଆଇ ଲସ୍ ଆଞ୍ଜେଲସ୍ ଫିଲ୍ଡ ଅଫିସର ଦାୟିତ୍ୱରେ ଥିବା ସହକାରୀ ନିର୍ଦ୍ଦେଶକ ପାଟ୍ରିକ୍ ଗ୍ରାଣ୍ଡି କହିଛନ୍ତି ଯେ ସତୀନ୍ଦରଜିତ୍ ସିଂହ, ଯିଏ 'ଗୋଲ୍ଡି ବ୍ରାର୍' ନାମରେ ମଧ୍ୟ ଜଣାଶୁଣା, ଜଣେ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତି। ତାକୁ ଗିରଫ କରିବା ଏଫବିଆଇର ପ୍ରାଥମିକତା । ସେଥିପାଇଁ ତାକୁ ଏଫବିଆଇର ଶୀର୍ଷ ୧୦ ଫେରାର ଅପରାଧୀ ତାଲିକାରେ ସାମିଲ କରାଯାଇଛି ।
ନଭେମ୍ବର ୧୯ ତାରିଖରେ, କାନାଡା ମଧ୍ୟ ତାକୁ ଗିରଫ କରିବାରେ ସହାୟକ ହେଉଥିବା ସୂଚନା ପାଇଁ ୨,୫୦,୦୦୦ ଡଲାର ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରିଥିଲା । ଏହା ବ୍ୟତୀତ, କାନାଡାର ମୋଷ୍ଟ ୱାଣ୍ଟେଡ୍ ୨୫ ଜଣ ଅପରାଧୀଙ୍କୁ ନେଇ ପ୍ରସ୍ତୁତ 'ବୋଲୋ ପ୍ରୋଗ୍ରାମ' ତାଲିକାରେ ତାକୁ ଏକ ନମ୍ବର ସନ୍ଦିଗ୍ଧ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ପରେ ଗୋଲ୍ଡିର ଅପରାଧିକ କାର୍ଯ୍ୟକଳାପକୁ ବଡ଼ ଝଟକା ଲାଗିଛି ।
ଗୋଲ୍ଡି ବ୍ରାର 'ଲରେନ୍ସ ବିଷ୍ଣୋଇ ସଂଗଠିତ ଅପରାଧ ଗୋଷ୍ଠୀ'ର ଉତ୍ତର ଆମେରିକା ମୁଖ୍ୟ ବୋଲି ଅଭିଯୋଗ ରହିଛି। ଏହା ଏକ ଆନ୍ତର୍ଜାତୀୟ ଅପରାଧିକ ନେଟୱାର୍କ, ଯାହା ଆମେରିକା ଏବଂ କାନାଡ଼ାରେ ହତ୍ୟା, ଚାନ୍ଦା ଆଦାୟ, ନିଶାଦ୍ରବ୍ୟ ଚାଲାଣ ଏବଂ ଅନ୍ୟାନ୍ୟ ହିଂସାତ୍ମକ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ରହିଛି ।