ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିନେତ୍ରୀଙ୍କ ସହ କିଛି ଯୁବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ଘଟଣା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ସହ ଘଟିଥିବା ଅସଦାଚରଣ ସମ୍ପର୍କରେ ଟେଲି ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି।
ସେ ନିଜ ଅଭିଯୋଗରେ କହିଛନ୍ତି, “ଶନିବାର ରାତିରେ, ଭୁବନେଶ୍ୱରର ଏକ ବାର୍ ଏବଂ ରେଷ୍ଟୁରାଣ୍ଟ ‘ରୋମିଓ ଲେନ୍’ରେ ମୋତେ ନିର୍ଯାତନା ଏବଂ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା। କିଛି ପିଲା ମୋ ସହିତ ଖରାପ ବ୍ୟବହାର କରିଥିଲେ, ଏବଂ ଯେତେବେଳେ ମୁଁ ପ୍ରତିବାଦ କଲି, ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। କିନ୍ତୁ ଏଥିରେ ବାଉନ୍ସର ଏବଂ ବାର୍ ମ୍ୟାନେଜମେଣ୍ଟ ହସ୍ତକ୍ଷେପ ନକରି ଚୁପ୍ ହୋଇଥିଲେ”। ଯେଉଁ ପ୍ରତିଷ୍ଠାନଗୁଡ଼ିକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୁଅନ୍ତି ଏବଂ ସେମାନଙ୍କ ଉପସ୍ଥିତିରେ ଏପରି ଘଟଣା ଘଟାଇବାକୁ ଦିଅନ୍ତି, ସେମାନଙ୍କୁ ତୁରନ୍ତ ବନ୍ଦ କରାଯିବା ଉଚିତ। ସେ ଅଭିଯୁକ୍ତ ଏବଂ ବାର୍ ପରିଚାଳନା ବିରୁଦ୍ଧରେ କଠୋର ଏବଂ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ତେବେ ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି।