ଦେବଗଡ଼: ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ପୋଲିସ କର୍ମଚାରୀଙ୍କ ଜୀବନ। ମୃତକ ହେଉଛନ୍ତି ଦେବଗଡ଼ ଜିଲ୍ଲା ବଂପରଡ଼ାସ୍ଥିତ ଆଇଆରବି ବାଟାଲିୟନରେ କାର୍ଯ୍ୟରତ ହାବିଲଦାର ଯୁଧିଷ୍ଠିର ବେହେରା। ଏହି ଦୁଃଖଦ ଘଟଣାକୁ ନେଇ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଯୁଧିଷ୍ଠିର ନିଜ କର୍ମସ୍ଥଳୀ ବଂପରଡ଼ାରୁ ମୋଟରସାଇକେଲ ଯୋଗେ ନିଜ ଗାଁ ଚିରଗୁଣିକୁଦର ଅଭିମୁଖେ ଯାଉଥିଲେ। ଏହି ସମୟରେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ନୂଆଡିହି ଗ୍ରାମ ନିକଟରେ ଏକ ମୋଡ଼ରେ ତାଙ୍କ ବାଇକ୍ ସହ ଏକ କାର୍ର ଧକ୍କା ହୋଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଯୁଧିଷ୍ଠିରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ କୁଣ୍ଢେଇଗୋଳା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।
ବାଲିଯାତ୍ରା ଡ୍ୟୁଟିକୁ ଯିବା ପୂର୍ବରୁ ଅଘଟଣ
ସବୁଠାରୁ ଦୁଃଖଦ କଥା ହେଉଛି, ଆସନ୍ତାକାଲି ଯୁଧିଷ୍ଠିର ନିଜ ଫୋର୍ସ ସହ କଟକର ପ୍ରସିଦ୍ଧ ବାଲିଯାତ୍ରାରେ ଡ୍ୟୁଟି କରିବାକୁ ଯାଇଥାନ୍ତେ। ହେଲେ ଡ୍ୟୁଟିରେ ଯୋଗଦେବା ପୂର୍ବରୁ ଏଭଳି ଅକାଳ ମୃତ୍ୟୁ ତାଙ୍କ ପରିବାର, ସହକର୍ମୀ ଓ ପରିଚିତ ମହଲରେ ଗଭୀର ଶୋକ ସୃଷ୍ଟି କରିଛି। ଏହି ଘଟଣାରେ ଏକ ହସଖୁସିର ପରିବାରରେ ଦୁଃଖର କଳାବାଦଲ ଛାଇଯାଇଛି। ଦୁର୍ଘଟଣା ସମ୍ପର୍କରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।