ଭୁବନେଶ୍ୱର: ଓଡ଼ିଶା ଏବଂ ଓଡ଼ିଶା ପୋଲିସର ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି । ରାଜ୍ୟକୁ ମିଳିଛି ପ୍ରଥମ ତିନି ମହିଳା ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ (ଏନଏସଜି) କମାଣ୍ଡୋ । ଢେଙ୍କାନାଳ ପୋଲିସ ଜିଲ୍ଲାର ଅନିଷା ସିଂହ, ବଲାଙ୍ଗୀରର ପିଙ୍କି ସାହୁ ଓ ନବରଙ୍ଗପରୁର ରାମେଶ୍ରୀ ହାଲବା । ଏହି ତିନି ମହିଳା କନଷ୍ଟେବଳ ପ୍ରଥମ ମହିଳା କମାଣ୍ଡୋ କନଭର୍ସନ କୋର୍ସ ସଫଳତାର ଶେଷ କରିଛନ୍ତି । ଏମାନେ ଓଡ଼ିଶା ପୋଲିସ ପ୍ରଥମ ମହିଳା କନଷ୍ଟେବଳ ଭାବରେ ଏହି ଗୌରବ ଅର୍ଜନ କରିଛନ୍ତି । ଏମାନଙ୍କୁ ଆଣ୍ଟି ନକ୍ସଲ ଅପରେସନ୍ ଡିଜି ସଞ୍ଜୀବ ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି ।
ଅନିଷା ସିଂହ, ପିଙ୍କି ସାହୁ ଓ ରାମେଶ୍ରୀ ହାଲବା ଗତ ୧୨ ସପ୍ତାହ ଧରି ଏନଏସଜି ତାଲିମ ନେଇଛନ୍ତି । ଏମାନେ ଏବେ ଆତଙ୍କବାଦୀ ବିରୋଧୀ ଅଭିଯାନ, ବନ୍ଧକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର ଏବଂ ଦେଶର କୌଣସି ବିପଦଜନ୍ନକ ପରିସ୍ଥିତିର ମୁକାବିଲା ଅଭିଯାନରେ ସାମିଲ ହେବେ । ଏମାନଙ୍କୁ ବର୍ତ୍ତମାନ ସେମାନଙ୍କ ପୋଲିସ ଜିଲ୍ଲାରେ ନିଯୁକ୍ତି ଦିଆଯିବ । ପରେ କାର୍ଯ୍ୟପନ୍ଥା ହିସାବରେ ନିୟୋଜିତ ହେବେ ।
ଏନଏସଜି କମାଣ୍ଡୋ ପାଇଁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏକାଧିକ ମହିଳା କନଷ୍ଟେବଳ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ତାଲିମ ୧୨ ସପ୍ତାହ ଧରି ନେଇଥିଲେ ଏବଂ ତନ୍ମଧ୍ୟରୁ ଅନିଷା ସିଂହ, ପିଙ୍କି ସାହୁ ଓ ରାମେଶ୍ରୀ ସଫଳତାର ସହିତ ତାଲିମ ଶେଷ କରିଛନ୍ତି ।