ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ ଯୋଜନାରେ ତ୍ୱରିତ କାର୍ଯ୍ୟାନ୍ୱୟନ କରିବାରେ ପୁଣି ଥରେ ଓଡ଼ିଶା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ।‘ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬’ ସମାରୋହରେ ‘ବେଷ୍ଟ ପର୍ଫର୍ମିଂ – ଫାଷ୍ଟେଷ୍ଟ ମୁଭର୍’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଛି । ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀସ୍ଥିତ ଡଃ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ପୁରସ୍କୃତ ହୋଇଛି। କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଏବଂ ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ ସିଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।
୨୦୨୫ ସେପ୍ଟେମ୍ବର ୧ରୁ ୨୦୨୬ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଯୋଜନାର କାର୍ଯ୍ୟଦକ୍ଷତାକୁ ଆଧାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ ଏହି ପୁରସ୍କାର ସମାରୋହର ବିଷୟବସ୍ତୁ (ଥିମ୍) ‘ଫ୍ରମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଟୁ ଷ୍ଟ୍ରିଟ୍ ୱଣ୍ଡର୍ସ’ ରଖାଯାଇଥିଲା। ରାସ୍ତାକଡ଼ ବ୍ୟବସାୟୀଙ୍କୁ ବିନା ବନ୍ଧକରେ ଋଣ ଯୋଗାଇବା, ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଏବଂ ସେମାନଙ୍କ ପରିବାରକୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ଏହି ସମ୍ମାନରେ ସ୍ୱୀକୃତି ମିଳିଛି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଉଠାଦୋକାନୀମାନଙ୍କୁ ‘ଷ୍ଟ୍ରିଟ୍ ୱଣ୍ଡର୍ସ’ ଭାବେ ଅଭିହିତ କରିବା ସହ ସେମାନଙ୍କର ଉଦ୍ୟୋଗୀ ମନୋଭାବ ଏବଂ ଦୃଢ଼ ଇଚ୍ଛାଶକ୍ତିର ପ୍ରଶଂସା କରିଥିଲେ। ପ୍ରତ୍ୟେକ ଯୋଗ୍ୟ ଉଠାଦୋକାନୀଙ୍କ ନିକଟରେ ପିଏମ୍ ସ୍ୱନିଧି ଯୋଜନା ପହଞ୍ଚିପାରିଲେ ହିଁ ‘ଅନ୍ତ୍ୟୋଦୟ’ ମାଧ୍ୟମରେ ‘ବିକଶିତ ଭାରତ @୨୦୪୭’ର ସ୍ୱପ୍ନ ସାକାର ହୋଇପାରିବ। ଏଥିପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ବ୍ୟାଙ୍କ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ମିଳିତ ପ୍ରୟାସ ଆବଶ୍ୟକ।
ଓଡ଼ିଶାର ଏହି ସଫଳତାରେ ଖୁସି ବ୍ୟକ୍ତ କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ଏହି ଜାତୀୟ ସ୍ୱୀକୃତି ଓଡ଼ିଶାର ସମସ୍ତ ଉଠାଦୋକାନୀମାନଙ୍କର ଅଟେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମର ପୌରସଂସ୍ଥା, ବ୍ୟାଙ୍କ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମିଳିତ ଭାବେ କାର୍ଯ୍ୟ କରି ଉଠାଦୋକାନୀମାନଙ୍କୁ ଆନୁଷ୍ଠାନିକ ଋଣ ଓ ଡିଜିଟାଲ ଅର୍ଥନୀତି ସହ ଯୋଡ଼ିପାରିଛନ୍ତି। ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ଏହାର ଲାଭ ପାଇବେ, ସେଥିପାଇଁ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।"
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଏହି ପୁରସ୍କାର ‘ଟିମ୍ ଅର୍ବାନ୍ ଓଡ଼ିଶା’ର କ୍ଷେତ୍ରସ୍ତରୀୟ ପରିଶ୍ରମର ଫଳ। ପୌରସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ସମନ୍ୱୟରେ ଉଠାଦୋକାନୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ପରିବାରକୁ ସାମାଜିକ ସୁରକ୍ଷା ଯୋଜନା ସହ ଯୋଡ଼ିବାରେ ଏହା ସହାୟକ ହୋଇଛି।
ଚଳିତ ବର୍ଷର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୭ଟି, ପୌର ପ୍ରଶାସନ ପାଇଁ ୨୧ଟି, ଋଣ ପ୍ରଦାନକାରୀ ସଂସ୍ଥା ପାଇଁ ୪ଟି ଏବଂ ୫ଟି ସ୍ୱତନ୍ତ୍ର ସମ୍ମାନ ରହିଛି ।
ଉଲ୍ଲେଖ ଯୋଗ୍ୟ, ୧ ଜୁନ୍ ୨୦୨୦ରେ ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ ହେବା ପରଠାରୁ ପ୍ରାୟ ୮୧ ଲକ୍ଷ ଉଠାଦୋକାନୀଙ୍କୁ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧.୨୧ କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇଛି। ଅଗଷ୍ଟ ୨୦୨୫ରେ ପୁନର୍ଗଠିତ ଏହି ଯୋଜନାକୁ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯେଉଁଥିରେ ପର୍ଯ୍ୟାୟକ୍ରମେ ଅଧିକ ଋଣ, ୭% ସୁଧ ରିହାତି ଏବଂ ଯୋଗ୍ୟ ହିତାଧିକାରୀଙ୍କୁ UPI-ଲିଙ୍କ୍ଡ ରୂପେ କ୍ରେଡିଟ୍ କାର୍ଡ (୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମା) ସୁବିଧା ମିଳୁଛି। ପ୍ରଥମ ବର୍ଷରେ ପ୍ରାୟ ୨୨ ଲକ୍ଷ ଋଣ ମଞ୍ଜୁର ହୋଇଥିବା ବେଳେ ଏଥିରେ ୬,୨୯୪ କୋଟି ଟଙ୍କା ବଣ୍ଟନ କରାଯାଇଛି।