ଭୁବନେଶ୍ୱର: ବାତ୍ୟା ‘ଅକ୍ୱାନ’ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ଆସନ୍ତାକାଲିଠାରୁ ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ । ଆଦୌ ବିଚଳିତ ନ ହେବାକୁ ଚାଷୀଭାଇ ମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ବାତ୍ୟାକୁ ସଫଳତାର ସହିତ ମୁକାବିଲା କରାଯାଇଛି । ବିଶେଷକିଛି କ୍ଷୟକ୍ଷତି ହୋଇନାହିଁ । କେବଳ ଫସଲ ନଷ୍ଟ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ ଆସନ୍ତାକାଲିଠାରୁ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ । ଯେଉଁ ସ୍ଥାନରେ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି ସେମାନେ ଆବଶ୍ୟକ ଅନୁଯାୟୀ ସେଠାରେ ରହିବେ । ନ ହେଲେ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିବେ । ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଏସଡିଆରଏଫ୍ ଏବଂ ଏନଡିଆରଏଫର ଗାଇଡ୍ ଲାଇନ୍ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ । ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ମିଳିବ । ବୀମା ଅନୁସାରେ କିପରି କ୍ଷତିପୂରଣ ରାଶି ଯଥାଶୀଘ୍ର ପହଁଚି କୃଷି ବିଭାଗ କାମ କରୁଛି । ଯେଉଁମାନଙ୍କର ଧାନ ଓଦା ହୋଇଛି ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ।
ସେହିପରି ଅର୍ଣ୍ଣବ ସମୟରେ ଗଞ୍ଜାମ ଜିଲ୍ଲାରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାର ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା କରାଯାଉଛି । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ର ପ୍ରକୋପକୁ କମ୍ କରାଯାଇ ପାରିବ । ଓଡ଼ିଶାର ନଦୀ ବ୍ୟବସ୍ଥାକୁ ନେଇ ଡିପିଆର୍ ପ୍ରସ୍ତୁତ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ୮ଟି ନଦୀ ଭିତ୍ତିଭୂମି ବିକାଶ କରାଯିବ । ପ୍ରତି ନଦୀର ଆବଶ୍ୟକତା ଅନୁସାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଭିତ୍ତିଭୂମିର ବିକାଶ କରାଯିବ । ଏ ନେଇ ଜଳ ସମ୍ପଦ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବୈଠକ ବସିବ ।
ରାଜ୍ୟରେ ଥିବା ୧୧ଟି ନଦୀ ବନ୍ଧ ପ୍ରଣାଳୀ ମଧ୍ୟରୁ କେବଳ ମହାନଦୀ ଓ ରେଙ୍ଗାଲୀ ନଦୀବନ୍ଧ ପ୍ରଣାଳୀ ଠିକ୍ କାମ କରୁଛି । ଅନ୍ୟ ୮ଟି ନଦୀ ସିଷ୍ଟମ୍ର ବିକାଶ ପାଇଁ ଦୀର୍ଘମିଆଦୀ ରୋଡ୍ମ୍ୟାପ୍ ହେବ । ଏଥିପାଇଁ ପ୍ରତି ଦିନ ଗୋଟିଏ ନଦୀବନ୍ଧ ସିଷ୍ଟମ ଉପରେ ଆଲୋଚନା କରାଯାଇ ଦୀର୍ଘମିଆଦୀ ରୋଡ୍ମ୍ୟାପ୍ ହେବ । ବିଭିନ୍ନ ବାତ୍ୟା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତିକୁ ଦେଖି ଆଗାମୀ ପଚାଶ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ତାହା ଉପରେ ଯୋଜନା ପ୍ରସ୍ତୁତ ହେବ । ଏନେଇ ଆଇଆଇଟି ରୁର୍କି ସହ ମଧ୍ୟ ଯୋଗାଯୋଗ କରାଯାଇଥିବା ସୁରେଶ ପୂଜାରୀ କହିଛନ୍ତି ।