ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ନିଜ ବୋଲିଂର ଯାଦୁ ଦେଖାଇଥିବା ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲ ଏବେ ରାଜନୀତି ମୈଦାନରେ ପାଦ ଥାପିଛନ୍ତି। ଶନିବାର ସେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଏହା ସହିତ ଦଳ ପକ୍ଷରୁ ତାଙ୍କୁ ଜାତୀୟ ଓବିସି ମୋର୍ଚ୍ଚାର ନୂତନ ଜାତୀୟ କାର୍ଯ୍ୟକାରିଣୀରେ 'ବିଶେଷ ଆମନ୍ତ୍ରିତ ସଦସ୍ୟ' ଭାବେ ମନୋନୀତ କରାଯାଇଛି।
ବିଜେପିର ଜାତୀୟ ସଭାପତି ନୀତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ ଓବିସି ମୋର୍ଚ୍ଚାର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟର ଅନେକ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ଚହଲଙ୍କ ନାମ ମଧ୍ୟ ସ୍ଥାନ ପାଇଛି। ତାଙ୍କୁ ଦିଲ୍ଲୀ ପ୍ରଦେଶରୁ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇଛି।
କ'ଣ ଏହି ସ୍ପେଶାଲ ଇନଭାଇଟି ପଦବୀ ?
ବିଜେପିରେ ଚହଲଙ୍କୁ ମିଳିଥିବା ଏହି ନୂଆ ଦାୟିତ୍ୱକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ପେଶାଲ ଇନଭାଇଟି ବା ବିଶେଷ ଆମନ୍ତ୍ରିତ ସଦସ୍ୟ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ନିୟମିତ ପଦାଧିକାରୀ ନହୋଇ ମଧ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କାର୍ଯ୍ୟକଳାପରେ ଆମନ୍ତ୍ରଣ ପାଇ ଯୋଗ ଦେଇପାରନ୍ତି। ତେବେ ଏହି ଦାୟିତ୍ୱରେ ରହି ଚହଲ କେଉଁ କାର୍ଯ୍ୟ କରିବେ, ସେନେଇ ଦଳ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇନାହିଁ। ଏହା ପୂର୍ବରୁ ସେ ବିଜେପି ଓବିସି ମୋର୍ଚ୍ଚାର ଅଧ୍ୟକ୍ଷ ଅମରପାଲ ମୌର୍ଯ୍ୟଙ୍କୁ ଭେଟିଥିବା ମଧ୍ୟ ଜଣାପଡ଼ିଛି।
ଅନ୍ତର୍ଜାତୀୟ କ୍ରିକେଟ୍ରୁ ଏବେ ବି ନେଇନାହାନ୍ତି ଅବସର
ଯୁଜବେନ୍ଦ୍ର ଚହଲଙ୍କ ରାଜନୀତିରେ ପ୍ରବେଶକୁ ନେଇ ଆଉ ଏକ ଚର୍ଚ୍ଚା ହେଉଛି ତାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ। ଚଳିତ ବର୍ଷ ଅକ୍ଟୋବରରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ତେବେ ଏହାର ଅର୍ଥ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନୁହେଁ।
ଚହଲ ଏପର୍ଯ୍ୟନ୍ତ ଭାରତ ପାଇଁ ୭୨ଟି ଦିନିକିଆ ଓ ୮୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ମୋଟ ୨୧୭ଟି ୱିକେଟ୍ ନେଇଛନ୍ତି। ସେ ଆଜି ପର୍ଯ୍ୟନ୍ତ ଭାରତ ପାଇଁ କୌଣସି ଟେଷ୍ଟ ମ୍ୟାଚ୍ ଖେଳିନାହାନ୍ତି। ତଥାପି ଦିନିକିଆ ଓ ଟି-୨୦ ଫର୍ମାଟ୍ରେ ଭାରତକୁ ଫେରିବା ଆଶା ରଖିଛନ୍ତି।
ଆଇପିଏଲ୍ରେ ମଧ୍ୟ ଚହଲଙ୍କ ରେକର୍ଡ ଉଲ୍ଲେଖନୀୟ। ସେ ଆଇପିଏଲ୍ରେ ୧୮୮ଟି ମ୍ୟାଚ୍ ଖେଳି ୨୩୩ଟି ୱିକେଟ୍ ହାସଲ କରିଛନ୍ତି। ଏବେ କ୍ରିକେଟ୍ ସହ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଚହଲଙ୍କ ଆଗାମୀ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି।