ଆସନ୍ତା ମଙ୍ଗଳାବାର ଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏନେଇ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କମିଶନରେଟ୍ ପୋଲିସ ପକ୍ଷରୁ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୪୦୦ ଅଫିସର ନିୟୋଜିତ ହେବେ।
ଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସୁରକ୍ଷା ଉପରେ ନଜର ରଖିବା ପାଇଁ ପଡ଼ିଆରେ ୩୮ଟି ୱାଚ୍ ଟାୱାର ନିର୍ମାଣ କରାଯିବ। ଏଥିସହ ୧୨୦୦ ସିସିଟିଭି କ୍ୟାମେରା ଓ ୧୦୦ଟି ଏଆଇ କ୍ୟାମେରା ଜରିଆରେ ସମଗ୍ର ମେଳା ପଡ଼ିଆ ଉପରେ ରଖାଯିବ କଡ଼ା ନଜର।
ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଷ୍ଟ୍ରପତି ଯେଉଁ ରାସ୍ତା ଦେଇ ଯାତାୟାତ କରିବେ, ସେହି ରୁଟରେ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବା ସହ ସ୍ୱତନ୍ତ୍ର ବ୍ୟାରିକେଡିଂ ବ୍ୟବସ୍ଥା କରାଯିବ। ବାଲିଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ଭିଡ଼ମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।