କୋରାପୁଟ/ସେମିଳିଗୁଡ଼ା: କୋଟିଆ ବିବାଦ ପ୍ରସଙ୍ଗରେ ଓଡ଼ିଶା ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଓଡ଼ିଶାରେ ରହି ଆନ୍ଧ୍ରପ୍ରଦେଶ ସପକ୍ଷରେ କାର୍ଯ୍ୟ କଲେ କିମ୍ବା ବିଶୃଙ୍ଖଳା ସୃଷ୍ଟି କଲେ ଆଉ ନିସ୍ତାର ମିଳିବ ନାହିଁ ବୋଲି ସ୍ପଷ୍ଟ ସଙ୍କେତ ଦିଆଯାଇଛି। ପୁଲିସକୁ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଦୁଇ ଜଣ ତଥାକଥିତ ଆନ୍ଧ୍ର ଏଜେଣ୍ଟଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ପରବର୍ତ୍ତୀ ସ୍ଥିତି ସାମାନ୍ୟ ହେବା ପରେ ପୁଲିସ ପକ୍ଷରୁ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତଦନ୍ତ ଆଧାରରେ ଫାଟୁସିନେରି ଗ୍ରାମର ବିଶୁ ପାଙ୍ଗି ଏବଂ ଲିବ୍ରି ହାରେକାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୁନାବେଡ଼ାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ମନୋଜ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ବିଶୃଙ୍ଖଳାରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଏହାସହ ଗିରଫ ଦୁଇ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶକୁ ସମର୍ଥନ କରିବା ସହ ଓଡ଼ିଶାର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ଆନ୍ଧ୍ରକୁ ତଥ୍ୟ ପ୍ରଦାନ କରୁଥିବା ନେଇ ରହିଥିବା ଅଭିଯୋଗର ମଧ୍ୟ ଯାଞ୍ଚ ଚାଲିଛି। କୋଟିଆ ଅଞ୍ଚଳରେ କୌଣସି ପ୍ରକାର ଅଶାନ୍ତି କିମ୍ବା ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୁମିତ୍ରା ଜେନା, କୋଟିଆ ଥାନା ଆଇଆଇସି ମଧୁସୂଦନ ଭୋଇ, ସେମିଳିଗୁଡ଼ା ଥାନା ଆଇଆଇସି ଅନିତା କୁଜୁର ଏବଂ ସୁନାବେଡ଼ା ଥାନା ଆଇଆଇସି ସୁଷମା କଅଁର ପ୍ରମୁଖ ଉପସ୍ଥିତ ଥିଲେ।