ଭୁବନେଶ୍ୱର: ବିଜେପି ସଂଗଠନରେ ଓଡ଼ିଶାକୁ ମିଳିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ବିଜେପି ଓବିସି ମୋର୍ଚ୍ଚାର ନୂତନ ଜାତୀୟ ପଦାଧିକାରୀ ତାଲିକାରେ ଓଡ଼ିଶାର ମମତା ମହନ୍ତଙ୍କୁ ଜାତୀୟ ଉପସଭାପତି ଭାବେ ସ୍ଥାନ ମିଳିଛି। ଦଳର ଜାତୀୟ ସଭାପତି ନିତିନ ନବୀନଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଘୋଷଣା କରାଯାଇଛି।
ନଭେମ୍ବର ୨୧, ୨୦୨୬ରେ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ଆଧିକାରିକ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ନୂତନ ଭାବେ ଘୋଷିତ ସମସ୍ତ ପଦବୀର ନିଯୁକ୍ତି ତୁରନ୍ତ ଲାଗୁ ହେବ ବୋଲି ଦଳ ସ୍ପଷ୍ଟ କରିଛି।
ମମତାଙ୍କ ସମେତ ୭ ଜଣଙ୍କୁ ଜାତୀୟ ଉପସଭାପତି ଦାୟିତ୍ୱ
ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ଉପସଭାପତି ଭାବେ ମୋଟ ୭ ଜଣଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ହେଲେ:
ଯୋଗେନ ମୋହନ – ଆସାମ
ମମତା ମହନ୍ତ – ଓଡ଼ିଶା
ସଙ୍ଗମ ଲାଲ ଗୁପ୍ତା – ଉତ୍ତରପ୍ରଦେଶ
ବବନରାଓ ରାବଜୀ ଚୌଧୁରୀ – ମହାରାଷ୍ଟ୍ର
ସତ୍ ପ୍ରକାଶ ରାଣା – ଦିଲ୍ଲୀ
ଡ. ଅର୍ଜୁନ ସାହନୀ – ବିହାର
ସଙ୍ଗୀତା ବଲୱନ୍ତ ବିନ୍ଦ – ଉତ୍ତରପ୍ରଦେଶ
୩ ଜଣଙ୍କୁ ମିଳିଲା ଜାତୀୟ ମହାସଚିବ ଦାୟିତ୍ୱ
ସେହିପରି ଓବିସି ମୋର୍ଚ୍ଚାର ଜାତୀୟ ମହାସଚିବ ଭାବେ ତିନି ଜଣଙ୍କୁ ଦାୟିତ୍ୱ ମିଳିଛି। ଏହି ତାଲିକାରେ ଗଜେନ୍ଦ୍ର ଯାଦବ (ଦିଲ୍ଲୀ), ପ୍ରମୋଦ ମଧ୍ୱରାଜ (କର୍ଣ୍ଣାଟକ) ଏବଂ ଲଳିତ ଚନ୍ଦ୍ରାକର (ଛତିଶଗଡ଼)ଙ୍କ ନାମ ରହିଛି।
ଓଡ଼ିଶାର ଅନ୍ୟ ତିନି ଜଣଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
କେବଳ ମମତା ମହନ୍ତ ନୁହନ୍ତି, ଓଡ଼ିଶାର ଆଉ ତିନି ଜଣଙ୍କୁ ମଧ୍ୟ ଜାତୀୟ ସ୍ତରରେ ସାଙ୍ଗଠନିକ ଦାୟିତ୍ୱ ମିଳିଛି। ଆଶୁତୋଷ ବେହେରାଙ୍କୁ ନୀତି ଓ ଗବେଷଣା ସହ-ସଂଯୋଜକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ପ୍ରଶାନ୍ତ ନାୟକଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ପ୍ରଫେସର ଅଦ୍ୱୈତ ଚରଣ ଗଡ଼ନାୟକଙ୍କୁ ଜାତୀୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି।
ନୂତନ ଦାୟିତ୍ୱ ପାଇଥିବା ସମସ୍ତ ନେତାଙ୍କୁ ବିଜେପି ଜାତୀୟ ସଭାପତି ନିତିନ ନବୀନ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ନେତାମାନେ ଜାତୀୟ ସଂଗଠନରେ ସ୍ଥାନ ପାଇବା ପରେ ରାଜ୍ୟ ବିଜେପି ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଏହି ନିଯୁକ୍ତି ରାଜ୍ୟରେ ଦଳର ସାଙ୍ଗଠନିକ ଗୁରୁତ୍ୱକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି।