ହାଇଦ୍ରାବାଦ: ତେଲେଙ୍ଗାନାରେ ଯୁବ କଂଗ୍ରେସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦିର ଖବର ସାମ୍ନାକୁ ଆସିଛି । ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ବ୍ଲକ୍ ହୋଇଯିବା ପରେ ଯୁବ କଂଗ୍ରେସ କର୍ମୀମାନେ ହାଇଦ୍ରାବାଦସ୍ଥିତ 'ମେଟା' (ପୂର୍ବର ଫେସବୁକ) କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସଂଗଠନର ଦୁଇଜଣ ପଦାଧିକାରୀଙ୍କ ଆକାଉଣ୍ଟ ଉପରେ ଲଗାଯାଇଥିବା କଟକଣାକୁ ବିରୋଧ କରି କର୍ମୀମାନେ ଏଭଳି କାଣ୍ଡ ଭିଆଇଛନ୍ତି ।
ମେଟା ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ଉଦୟ ଭାନୁ ଚିବ୍ ଏବଂ ଜାତୀୟ ପ୍ରଭାରୀ ମନୀଷ ଶର୍ମାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣା ଲଗାଇଥିଲା। ଏହା ବିଭିନ୍ନ ସ୍ଥାନରେ ଯୁବ କଂଗ୍ରେସ କର୍ମୀମାନେ ବିକ୍ଷୋଭ ଜାରି ରଖିଛନ୍ତି । ତେଲେଙ୍ଗାନା ରାଜ୍ୟ ସଭାପତି ଜାକ୍କିଡି ଶିବଚରଣ ରେଡ୍ଡୀଙ୍କ ନେତୃତ୍ୱରେ କର୍ମୀମାନେ 'ମେଟା' ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜନୈତିକ ହସ୍ତକ୍ଷେପ ହେଉଥିବା ଅଭିଯୋଗ କରିବା ସହ କିଛି ପୋଷ୍ଟକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ।
ବିକ୍ଷୋଭ ବେଳର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ପ୍ରଦର୍ଶନକାରୀମାନଙ୍କୁ କାର୍ଯ୍ୟାଳୟର କରିଡର୍ ଏବଂ କାଫେଟେରିଆ ଅଞ୍ଚଳରେ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା। କିଛି ବ୍ୟକ୍ତି କାର୍ଯ୍ୟାଳୟ ପରିସରରେ ଥିବା ଫୁଲକୁଣ୍ଡ ଗୁଡ଼ିକୁ ଫୋପଡ଼ା ଫିଙ୍ଗା କରିଥିଲେ । ଭାରତୀୟ ଯୁବ କଂଗ୍ରେସ ମେଟାକୁ "କିଛି ସାହସ ଦେଖାଇବାକୁ" ଆହ୍ୱାନ ଦେଇଛି ଏବଂ ପ୍ରତିବନ୍ଧିତ ଆକାଉଣ୍ଟ ଓ ପୋଷ୍ଟଗୁଡ଼ିକୁ ପୁନଃସ୍ଥାପନ କରିବା ପାଇଁ ସାତ ଦିନର ସମୟସୀମା ଦେଇଛି। ଯଦି ସେମାନଙ୍କ ଦାବି ପୂରଣ ନ ହୁଏ, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି ।
କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ଏବଂ ଆରଏସଏସର ସମାଲୋଚନା କରୁଥିବା ସ୍ୱରକୁ ଚାପି ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଯୁବ କଂଗ୍ରେସ କର୍ମୀଙ୍କ ଦ୍ୱାରା କରାଯାଇଥିବା ଭଙ୍ଗାରୁଜା ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିଛି ଏବଂ କଂଗ୍ରେସକୁ ଏକ "ଗୁଣ୍ଡାମାନଙ୍କ ଦଳ" ବୋଲି ଆଖ୍ୟା ଦେଇଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ ଯୁବ କଂଗ୍ରେସର ଗୁଣ୍ଡାମାନେ କେବଳ ହାଇଦ୍ରାବାଦରେ ଥିବା 'ମେଟା' କାର୍ଯ୍ୟାଳୟରେ ଭଙ୍ଗାରୁଜା କରିନାହାନ୍ତି, ବରଂ ସେମାନେ ସୋସିଆଲ ମିଡିଆରେ ଏହାକୁ ଗର୍ବର ସହ ପ୍ରଦର୍ଶନ ମଧ୍ୟ କରୁଛନ୍ତି ! 'ୱାର୍ଲ୍ଡ ଏଆଇ ସମ୍ମିଟ୍' ବେଳେ ଯେଭଳି ଅର୍ଦ୍ଧଲଗ୍ନ ଅବସ୍ଥାରେ ପ୍ରବେଶ କରିଥିଲେ ସେ ତାହାକୁ ମଧ୍ୟ ମନେ ପକାଇ ଦେଇଛନ୍ତି । ଏହା କଂଗ୍ରେସ ମଡେଲ୍ ବୋଲି ବିଜେପି କହିଛନ୍ତି ।