ନୂଆଦିଲ୍ଲୀ: ପାକିସ୍ତାନ ଗସ୍ତକୁ ନେଇ ଚର୍ଚ୍ଚାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଲାହୋରରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ପଞ୍ଜାବୀ ସମ୍ମିଳନୀରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବାକୁ ଚାହୁଁଛନ୍ତି ମାନ। ତେବେ ପାକିସ୍ତାନ ଯିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ଥିବାରୁ ଏବେ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ପଞ୍ଜାବ ସରକାର।
ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଲାହୋରରେ ଚତୁର୍ଥ ଅନ୍ତର୍ଜାତୀୟ ପଞ୍ଜାବୀ ସମ୍ମିଳନୀ ଆୟୋଜିତ ହେବ। ଏଥିରେ ଯୋଗଦେବାକୁ ଭଗୱନ୍ତ ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଗସ୍ତ ପାଇଁ ସେ ବୈଦେଶିକ ମନ୍ତ୍ରଣାଳୟଠାରୁ ରାଜନୈତିକ ଅନୁମତି ଲୋଡ଼ିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
କେବଳ ସମ୍ମିଳନୀ ନୁହେଁ, ଗୁରୁଦ୍ୱାର ଦର୍ଶନ କରିବାକୁ ମଧ୍ୟ ଇଚ୍ଛା
ପାକିସ୍ତାନ ଗସ୍ତ ସମୟରେ ଐତିହାସିକ ଗୁରୁଦ୍ୱାର ଦରବାର ସାହିବ, କରତାରପୁର ଓ ନନକାନା ସାହିବ ଦର୍ଶନ କରିବାକୁ ମଧ୍ୟ ଭଗୱନ୍ତ ମାନ ଇଚ୍ଛା ପ୍ରକାଶ କରିଛନ୍ତି। ଅକ୍ଟୋବର ୨୩ରେ ପଞ୍ଜାବ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ପାକିସ୍ତାନରେ ହେବାକୁ ଥିବା ସମ୍ମିଳନୀକୁ ଯିବା ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଛି।
ଏହା ସହିତ କରତାରପୁର କରିଡର ପୁନର୍ବାର ଖୋଲିବାକୁ ସେ ଦାବି କରିଥିଲେ। ଏହା ଖୋଲିଲେ ପଞ୍ଜାବ ବିଧାନସଭାର ସମସ୍ତ ଦଳର ବିଧାୟକ ଏକାଠି ହୋଇ ଶିଖ୍ ଧର୍ମର ପବିତ୍ର ସ୍ଥଳୀଗୁଡ଼ିକ ଦର୍ଶନ କରିପାରିବେ ବୋଲି ସେ କହିଥିଲେ।
ପାକିସ୍ତାନ ଭିସା ଦେବାକୁ ପ୍ରସ୍ତୁତ
ଭଗୱନ୍ତ ମାନଙ୍କ ପାକିସ୍ତାନ ଗସ୍ତକୁ ନେଇ ସେଠାକାର ସରକାର ମଧ୍ୟ ସକାରାତ୍ମକ ସଙ୍କେତ ଦେଇଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସଜ୍ଜାଦ ହାଇଦର ଖାନ ନଭେମ୍ବର ୬ରେ କହିଥିଲେ ଯେ, ମାନ ପାକିସ୍ତାନ ଆସିବାକୁ ଚାହିଁଲେ ତାଙ୍କୁ ଭିସା ଦେବା ପ୍ରସ୍ତାବ ବିଚାର କରାଯିବ। କିନ୍ତୁ ଭାରତ ସରକାର ତାଙ୍କୁ ଗସ୍ତ ପାଇଁ ଅନୁମତି ଦେବେ କି ନାହିଁ, ତାହା ଭାରତର ନିଜସ୍ୱ ନିଷ୍ପତ୍ତି ବୋଲି ସେ ସ୍ପଷ୍ଟ କରିଥିଲେ।
ଭାରତ ସରକାରଙ୍କ ଅନୁମତି ଉପରେ ଅଟକିଛି ନିଷ୍ପତ୍ତି
ଅନ୍ୟପଟେ ପାକିସ୍ତାନ ସହ ଭାରତର କୂଟନୈତିକ ସମ୍ପର୍କ ଏବେ ମଧ୍ୟ ତିକ୍ତ ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଥିବାରୁ ଏଭଳି ଗସ୍ତକୁ ନେଇ କେନ୍ଦ୍ର ସରକାର ସତର୍କ ରହିଛନ୍ତି।ନଭେମ୍ବର ୧୩ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଥିଲେ ଯେ, ବିଦେଶ ଗସ୍ତ ପାଇଁ ଜନପ୍ରତିନିଧିଙ୍କ ରାଜନୈତିକ ଅନୁମତି ଆବେଦନକୁ ଭାରତର ସାମଗ୍ରିକ ବୈଦେଶିକ ନୀତି ଆଧାରରେ ଯାଞ୍ଚ କରାଯାଏ। ପାକିସ୍ତାନ ସହ ସମ୍ପର୍କ ନେଇ ଭାରତର ଆଭିମୁଖ୍ୟ ସମସ୍ତଙ୍କୁ ସ୍ପଷ୍ଟ ବୋଲି ମଧ୍ୟ ସେ କହିଥିଲେ।