ମୁମ୍ବାଇ: ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ କରୁଛି ନିତେଶ ମଲହୋତ୍ରାଙ୍କ ପ୍ରଯୋଜିତ ଫିଲ୍ମ 'ରାମାୟଣ'। ରିଲିଜ୍ ପରଠାରୁ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ଏବେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛି ଏହି ଫିଲ୍ମ। ମାତ୍ର ୧୪ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କାର ଗ୍ରସ୍ କଲେକ୍ସନ୍ ଅତିକ୍ରମ କରିଛି 'ରାମାୟଣ'। ଏହା ସହ ଦେଶରେ ଏହି ଐତିହାସିକ ସଫଳତା ହାସଲ କରିଥିବା ଷଷ୍ଠ ଭାରତୀୟ ଫିଲ୍ମ ହୋଇଛି।
୧୪ ଦିନରେ ୧୦୦୯ କୋଟିରୁ ଅଧିକ ଆୟ
ବକ୍ସ ଅଫିସ୍ ରିପୋର୍ଟ ଅନୁସାରେ, 'ରାମାୟଣ' ମୁକ୍ତିଲାଭର ପ୍ରଥମ ଦିନରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା। ପ୍ରଥମ ଦିନରେ ଫିଲ୍ମଟି ୬୪.୮୫ କୋଟି ଟଙ୍କା ଆୟ କରିଥିବା ବେଳେ ପ୍ରଥମ ସପ୍ତାହରେ ଏହାର କଲେକ୍ସନ୍ ୫୬୪.୬୦ କୋଟିରେ ପହଞ୍ଚିଥିଲା।
ଦ୍ୱିତୀୟ ସପ୍ତାହରେ ମଧ୍ୟ ଫିଲ୍ମର ଲୋକପ୍ରିୟତା କମିନଥିଲା। ଦ୍ୱିତୀୟ ସପ୍ତାହରେ ଏହା ୨୭୯.୮୦ କୋଟି ଟଙ୍କା ଆୟ କରିଥିଲା। ୧୪ ଦିନ ଶେଷ ସୁଦ୍ଧା ଫିଲ୍ମର ମୋଟ ଗ୍ରସ୍ କଲେକ୍ସନ୍ ୧,୦୦୯.୦୫ କୋଟି ଟଙ୍କା ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ସେହିପରି ଏହାର ନେଟ୍ କଲେକ୍ସନ୍ ୮୪୪.୪୦ କୋଟି ଟଙ୍କା ରହିଛି।
୧୦୦୦ କୋଟି କ୍ଲବରେ ଏହି ଫିଲ୍ମଗୁଡ଼ିକୁ ଟକ୍କର
ଭାରତୀୟ ସିନେମାରେ ୧୦୦୦ କୋଟି ଗ୍ରସ୍ କଲେକ୍ସନ୍ ହାସଲ କରିବା ଏକ ବଡ଼ ସଫଳତା। ଏହି କ୍ଲବରେ ପୂର୍ବରୁ ଅନେକ ବ୍ଲକବଷ୍ଟର ଫିଲ୍ମ ସ୍ଥାନ ପାଇସାରିଛି।
ଏହି ତାଲିକାରେ ରହିଛି
ବାହୁବଳୀ-୨: ୧୪୧୮ କୋଟି ଟଙ୍କା
KGF ଚାପ୍ଟର-୨: ୧୦୦୧ କୋଟି ଟଙ୍କା
ପୁଷ୍ପା-୨: ୧୪୭୧ କୋଟି ଟଙ୍କା
ଧୁରନ୍ଧର: ୧୦୦୮ କୋଟି ଟଙ୍କା
ଧୁରନ୍ଧର-୨: ୧୩୭୫.୫୦ କୋଟି ଟଙ୍କା
ଏବେ ଏହି ତାଲିକାରେ 'ରାମାୟଣ' ମଧ୍ୟ ସାମିଲ ହୋଇଛି। ଏହା ସହ ବଲିଉଡ୍ର ୧୦୦୦ କୋଟି କ୍ଲବରେ ସ୍ଥାନ ପାଇଥିବା ତୃତୀୟ ଫିଲ୍ମ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।