ଅମିର ଖାନ୍ ନିଜ ଫିଲ୍ମ ସହିତ ସମ୍ପତ୍ତି ଉପରେ ମଧ୍ୟ ବେଶ୍ ଭାବିଚିନ୍ତି ଟଙ୍କା ନିବେଶ କରନ୍ତି। ଅଭିନେତା ଏବେ ମୁମ୍ବାଇର ସାନ୍ତାକ୍ରୁଜ୍ଠାରେ ୪ ବର୍ଷ ପାଇଁ ୩ଟି ଆପାର୍ଟମେଣ୍ଟ ଲିଜ୍ରେ ନେଇଛନ୍ତି।
ବଲିଉଡ୍ ଅଭିନେତା ଅମିର ଖାନ୍ ନିଜ ଫିଲ୍ମରୁ ଖୁବ୍ ଭଲ ରୋଜଗାର କରନ୍ତି। ସେ ବଲିଉଡ୍ର ସବୁଠାରୁ ସରଳ ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ଯେଉଁଠି ଆବଶ୍ୟକ ପଡ଼େ, ସେଠାରେ ଅମିର ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଅମିର ୩ଟି ଲଗ୍ଜୁରୀ ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି। ତାଙ୍କର ଏହି ଫ୍ଲାଟ୍ଗୁଡ଼ିକ ୪ ବର୍ଷର ଲିଜ୍ରେ ନିଆଯାଇଛି, ଯାହାର ଭଡ଼ା ଲକ୍ଷ ଲକ୍ଷ ଟଙ୍କାରେ ରହିଛି। ଏହି ତିନୋଟି ଯାକ ଆପାର୍ଟମେଣ୍ଟ ମୁମ୍ବାଇର ସାନ୍ତାକ୍ରୁଜ୍ଠାରେ ଅବସ୍ଥିତ ଏବଂ ବେଶ୍ ବିଳାସପୂର୍ଣ୍ଣ ଅଟେ। CRE Matrix ହାତରେ ଲାଗିଥିବା ପ୍ରପର୍ଟି ରେଜିଷ୍ଟ୍ରେସନ୍ ଦସ୍ତାବିଜ୍ ଅନୁଯାୟୀ, ଅମିର ଖାନଙ୍କୁ ଏହି ତିନୋଟି ଆପାର୍ଟମେଣ୍ଟ ପାଇଁ ପ୍ରତି ମାସରେ ୩୮ ଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡ଼ିବ।
ଏହି ଚୁକ୍ତି ୪୮ ମାସ ଅର୍ଥାତ୍ ଚାରି ବର୍ଷ ପାଇଁ କରାଯାଇଛି। ଏହା ୧ ଜାନୁଆରୀ ୨୦୨୭ରୁ ଆରମ୍ଭ ହେବ ଏବଂ ୩୧ ଡିସେମ୍ବର ୨୦୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତିବର୍ଷ ଭଡ଼ାରେ ୫ ପ୍ରତିଶତ ବୃଦ୍ଧି ଘଟିବ। ଏହା ବ୍ୟତୀତ ଅମିର ଖାନ୍ ମୋଟ ୩୮ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ଦେଇଛନ୍ତି, ଯାହା ଗୋଟିଏ ମାସର ଭଡ଼ା ସହ ସମାନ। ବର୍ତ୍ତମାନର ଭଡ଼ା ହିସାବରେ ଗୋଟିଏ ବର୍ଷର ମୋଟ ଖର୍ଚ୍ଚ ୪.୫୬ କୋଟି ଟଙ୍କା ହେବ।
କେଉଁ ଆପାର୍ଟମେଣ୍ଟର କେତେ ରହିଛି ଭଡ଼ା?
ଦସ୍ତାବିଜ୍ ଅନୁଯାୟୀ, ସବୁଠାରୁ ବଡ଼ ଆପାର୍ଟମେଣ୍ଟର ମାସିକ ଭଡ଼ା ୨୦ ଲକ୍ଷ ଟଙ୍କା ରହିଥିବା ବେଳେ ବାକି ଦୁଇଟି ଆପାର୍ଟମେଣ୍ଟର ଭଡ଼ା ମାସିକ ୯-୯ ଲକ୍ଷ ଟଙ୍କା ରହିଛି। ଏହିପରି ଭାବେ ଅମିର ଖାନ୍ ପ୍ରତି ମାସରେ ମୋଟ ୩୮ ଲକ୍ଷ ଟଙ୍କା ଭଡ଼ା ଦେବେ। ତିନୋଟି ଯାକ ଆପାର୍ଟମେଣ୍ଟ ସହିତ ତିନୋଟି ଲେଖାଏଁ କାର୍ ପାର୍କିଂ ସୁବିଧା ମଧ୍ୟ ମିଳିବ। ଅର୍ଥାତ୍ ମୋଟ ୯ଟି କାର୍ ପାର୍କିଂର ବ୍ୟବସ୍ଥା ରହିଛି। ଏହି ଲିଭ୍ ଆଣ୍ଡ ଲାଇସେନ୍ସ ଏଗ୍ରିମେଣ୍ଟ 'ସିଜନ୍ସ ଏଭିନ୍ୟୁଜ୍ ପ୍ରପର୍ଟିଜ୍' ଏବଂ 'ଅମିର ହୁସେନ୍ ଖାନ୍'ଙ୍କ ମଧ୍ୟରେ ହୋଇଛି।
କ’ଣ ରହିଛି ଆପାର୍ଟମେଣ୍ଟର ଖାସିୟତ?
ଅମିରଙ୍କ ଏହି ତିନୋଟି ଆପାର୍ଟମେଣ୍ଟ ବହୁତ ବଡ଼ ଏବଂ ଲଗ୍ଜୁରୀ ଅଟେ। ତେବେ ଏଗୁଡ଼ିକ କେତେ BHK ବିଶିଷ୍ଟ ତାହା ଜଣାପଡ଼ି ନାହିଁ, କିନ୍ତୁ ଏହାର କ୍ଷେତ୍ରଫଳ ବିଷୟରେ ସୂଚନା ଦିଆଯାଇଛି। ତିନୋଟି ଆପାର୍ଟମେଣ୍ଟ ବିଲ୍ଡିଂର ୧୪ତମ, ୧୨ତମ ଏବଂ ୧୧ତମ ମହଲାରେ ରହିଛି। ଏଗୁଡ଼ିକର କାର୍ପେଟ୍ ଏରିଆ ଯଥାକ୍ରମେ ୬,୨୦୦ ବର୍ଗଫୁଟ, ୩,୦୦୦ ବର୍ଗଫୁଟ ଏବଂ ୩,୦୦୦ ବର୍ଗଫୁଟ ଅଟେ। ଏହିପରି ଭାବେ ତିନୋଟି ଆପାର୍ଟମେଣ୍ଟର ମୋଟ କାର୍ପେଟ୍ ଏରିଆ ୧୨,୨୦୦ ବର୍ଗଫୁଟ ରହିଛି। ଏହି ସମସ୍ତ ଆପାର୍ଟମେଣ୍ଟ ସାନ୍ତାକ୍ରୁଜ୍ ୱେଷ୍ଟର ନର୍ଥ ଏଭିନ୍ୟୁଠାରେ ଅବସ୍ଥିତ। ଆପାର୍ଟମେଣ୍ଟର ମାସିକ ଭଡ଼ାରେ ସୋସାଇଟି ମେଣ୍ଟେନାନ୍ସ, ପାଣି ବିଲ୍ ଏବଂ ବର୍ତ୍ତମାନ ଓ ଭବିଷ୍ୟତର ପ୍ରପର୍ଟି ତଥା ମ୍ୟୁନିସିପାଲ୍ ଟିକସ ମଧ୍ୟ ସାମିଲ ରହିଛି। ଏଗୁଡ଼ିକର ପୈଠ ଘର ମାଲିକଙ୍କ ପକ୍ଷରୁ କରାଯିବ।
ମୁମ୍ବାଇରେ ରହିଛି ଅମିର ଖାନଙ୍କ ଅନେକ ପ୍ରପର୍ଟି
ଅମିର ଖାନ୍ ମୁମ୍ବାଇରେ ଅନେକ ସମ୍ପତ୍ତିରେ ନିବେଶ ମଧ୍ୟ କରିଛନ୍ତି। ଜୁନ୍ ୨୦୨୪ରେ ସେ ପାଲି ହିଲ୍ ସ୍ଥିତ ବେଲା ଭିଷ୍ଟା ଆପାର୍ଟମେଣ୍ଟରେ ୧,୦୨୭ ବର୍ଗଫୁଟର ଏକ ଆପାର୍ଟମେଣ୍ଟ ୯.୭୫ କୋଟି ଟଙ୍କାରେ କିଣିଥିଲେ। ପ୍ରପର୍ଟି ରେଜିଷ୍ଟ୍ରେସନ୍ ଦସ୍ତାବିଜ୍ ଅନୁଯାୟୀ, ଏହି ଡିଲ୍ ଉପରେ ୫୮.୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଏବଂ ୩୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି' ଦିଆଯାଇଥିଲା। ଭିର୍ଗୋ କୋଅପରେଟିଭ୍ ହାଉସିଂ ସୋସାଇଟି ଏବଂ ୱିଲନୋମୋନା ଆପାର୍ଟମେଣ୍ଟ ବ୍ୟତୀତ ଅମିରଙ୍କ ପାଖରେ ହିଲ୍ ଭ୍ୟୁ, ବେଲା ଭିଷ୍ଟା ଏବଂ ମରିନା ଆପାର୍ଟମେଣ୍ଟରେ ମଧ୍ୟ ଘର ଥିବା ଖବର ରହିଛି। ଏହା ବ୍ୟତୀତ ବାନ୍ଦ୍ରାରେ ତାଙ୍କର ଏକ ସି-ଫେସିଂ ଘର ମଧ୍ୟ ଥିବା କୁହାଯାଏ। ମୁମ୍ବାଇ ବ୍ୟତୀତ ଅମିର ଖାନଙ୍କ ପାଖରେ ମହାରାଷ୍ଟ୍ରର ପ୍ରସିଦ୍ଧ ହିଲ୍ ଷ୍ଟେସନ୍ ପଞ୍ଚଗନିଠାରେ ମଧ୍ୟ ଏକ ଫାର୍ମହାଉସ୍ ଅଛି, ଯାହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ଅଟେ।