ନୂଆଦିଲ୍ଲୀ: ଚୀନରେ ଚାଲିଥିବା ତ୍ରିପାକ୍ଷିକ ବୈଠକ ପରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବୁଝାମଣା’ କରୁଥିବା ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ରାହୁଲ ଏକ୍ସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୈଠକର ଏକ ଫଟୋ ପୋଷ୍ଟ କରି କହିଛନ୍ତି, “ଯଦି କଂଗ୍ରେସ ଆଜି ସରକାରରେ ଥାଆନ୍ତା, ତେବେ ଭାରତର ପ୍ରଧାନମନ୍ତ୍ରୀ ଏହି ଟେବୁଲରେ ବସିଥାନ୍ତେ। ଏକ ବୁଝାମଣା କରୁଥିବା ପ୍ରଧାନମନ୍ତ୍ରୀ କେବେବି ଏହି ଟେବୁଲ୍ ପାଖରେ ବସିପାରିବେ ନାହିଁ।”
ରାହୁଲଙ୍କ ଏଭଳି ପୋଷ୍ଟ ଦେଶର ରାଜନୀତିକୁ ଉଷ୍ଣ କରି ଦେଇଛି । ବିଜେପି ରାହୁଲଙ୍କ ଜବାବ ଦେଇ କଂଗ୍ରେସ ଦେଶର ସ୍ୱାର୍ଥ ସହିତ ବୁଝାମଣା କରିଥିବା ଅଭିଯୋଗ ଆଣିଛି । ଯାହାର ଉଦାହରଣ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିବା ଏବଂ ମନମୋହନଙ୍କ କାର୍ଯ୍ୟକାଳରେ ଅଲ୍-ଶେଖ ମନ୍ତବ୍ୟ ।
ବିଜେପି ମୁଖପାତ୍ର ତୁହିନ ସିହ୍ନା କହିଛନ୍ତି ଯେ ଯେ କଂଗ୍ରେସ ଦଳର ବୁଝାମଣା କରିବାର ଏକ ଦୀର୍ଘ ଇତିହାସ ରହିଛି। ଇନ୍ଦିରା ଗାନ୍ଧୀ ଶିମଲା ଚୁକ୍ତି ସମୟରେ ବୁଝାମଣା କରିଥିଲେ। ସେ ପାକିସ୍ତାନୀ ସୈନିକମାନଙ୍କୁ ମୁକ୍ତ କରିଦେଇଥିଲେ ଏବଂ ତା’ ପରଠାରୁ ପାକିସ୍ତାନ ଭାରତରେ ଆତଙ୍କବାଦ ବିସ୍ତାର କରିବା ଆରମ୍ଭ କଲା।
ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଦଳ କ୍ଷମତାରେ ନ ଥିଲେ ତାର ଅବସ୍ଥା କେମିତି ହୋଇଥାଏ । ୨୦୦୮ ମସିହା ଅଗଷ୍ଟ ୭ ତାରିଖରେ ବେଜିଂଠାରେ କଂଗ୍ରେସ ଏବଂ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଏକ ଗୁପ୍ତ ଚୁକ୍ତି ହୋଇଥିଲା। ଏହା ପରେ ଭାରତୀୟ ସୀମାରେ ଚୀନ୍ର ଅନୁପ୍ରବେଶ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଥିଲା । ଆଉ ଏହି ଅନୁପ୍ରବେଶ ସହିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍କୁ ଦାନ ମିଳିବା ଆରମ୍ଭ ହୋଇଥିବା ବିଜେପି ଦୃଢ଼ତାର ସହ କହିଛି ।
ସେହିପରି ତୁହିନ ଆହୁରି ଏକ ଉଦାହରଣ ଦେଇ କଂଗ୍ରେସକୁ ଜବାବ ଦେଇଛନ୍ତି । ବିଜେପି ମୁଖ୍ୟପାତ୍ର କହିଛନ୍ତି ଯେ ଶର୍ମ ଅଲ୍-ଶେଖ୍ରେ ଘଟିଥିବା ସେହି ଲଜ୍ଜାଜନକ ଘଟଣାକୁ କିଏ ଭୁଲିପାରିବ ? ୨୦୧୧ ମସିହାରେ ଶର୍ମ ଅଲ୍-ଶେଖ୍ରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୟଦ ୟୁସୁଫ୍ ରଜା ଗିଲାନିଙ୍କୁ ଭେଟିଥିଲେ । ୨୦୦୪-୧୪ ମସିହାର ୟୁପିଏ (UPA) ସରକାରଙ୍କ ତୁଳନାରେ, ବୁଝାମଣା କରିବାକୁ ଅଧିକ ଆଗ୍ରହୀ ଥିବା ଅନ୍ୟ କୌଣସି ସରକାର କ’ଣ ଭାରତ ଦେଖିଛି ?"
ବିଜେପି ମୁଖପାତ୍ର କହିଛନ୍ତି ଯେ "ଭାରତକୁ ବଦନାମ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଟଙ୍କା ଦିଆଯାଉଥିବା ପରି ମନେହୁଏ।" ବିଜେପି ମୁଖପାତ୍ର ଆର.ପି. ସିଂହ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଭାରତ ବିଷୟରେ ଏକ ନକାରାତ୍ମକ ଧାରଣା ପ୍ରଚାର କରୁଥିବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସତ୍ୟ ହେଉଛି ଯେ ବର୍ତ୍ତମାନର ବିଶ୍ୱ ବ୍ୟବସ୍ଥାରେ ଭାରତର ସ୍ଥାନ ବହୁତ ଉଚ୍ଚରେ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ଏପରି ନେତା ଭାବରେ ଦେଖାଯାଏ, ଯିଏ ବିଶ୍ୱର ଅନ୍ୟ ଦେଶଗୁଡ଼ିକର ନେତାମାନଙ୍କ ସହିତ ଉତ୍ତମ ସମ୍ପର୍କ ବଜାୟ ରଖିଛନ୍ତି।