ଚେନ୍ନାଇ: ତାମିଲନାଡୁ ରାଜନୀତିରେ ପୁଣି ହଲଚଲ। ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟଙ୍କ ନେତୃତ୍ୱାଧୀନ TVK ସରକାରକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି AIADMK ମହାସଚିବ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପଲାନିସ୍ୱାମୀ। ତାଙ୍କ କହିବା ଅନୁସାରେ, ସରକାରକୁ ଭାଙ୍ଗିବା ପାଇଁ ବିରୋଧୀଙ୍କୁ କୌଣସି ଅଲଗା ଉଦ୍ୟମ କରିବାକୁ ପଡ଼ିବ ନାହିଁ। ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଯୋଗୁଁ ବିଜୟଙ୍କ ସରକାର ନିଜେ ନିଜେ ଭୁଶୁଡ଼ି ପଡ଼ିବ।
କାହିଁକି ଏଭଳି ମନ୍ତବ୍ୟ ଦେଲେ ପଲାନିସ୍ୱାମୀ?
ଶନିବାର ଗଣମାଧ୍ୟମ ସହ ଆଲୋଚନା ବେଳେ TVK ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଥିଲେ ପଲାନିସ୍ୱାମୀ। ସେ କହିଥିଲେ, ବିଧାନସଭାରେ AIADMK ପାଖରେ ମାତ୍ର ୪୧ ଜଣ ବିଧାୟକ ଅଛନ୍ତି। ଏତେ କମ୍ ସଂଖ୍ୟକ ବିଧାୟକଙ୍କୁ ନେଇ ତାଙ୍କ ଦଳ କିପରି ସରକାର ଭାଙ୍ଗିବ? ସରକାର ଭାଙ୍ଗିବା ନେଇ ହେଉଥିବା ଚର୍ଚ୍ଚାକୁ ସେ ଗଣମାଧ୍ୟମର କଳ୍ପନାଜଳ୍ପନା ବୋଲି କହିଥିଲେ।
ତେବେ ରାଜ୍ୟରେ ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ସ୍ଥିତିର ଅବନତି, ଶିଳ୍ପ ବିକାଶରେ ଅବ୍ୟବସ୍ଥା ଏବଂ ମେକେଦାତୁ ପ୍ରକଳ୍ପ ପ୍ରସଙ୍ଗରେ ସରକାରଙ୍କ ଦୁର୍ବଳ ଆଭିମୁଖ୍ୟକୁ ସେ ସମାଲୋଚନା କରିଥିଲେ। ଏହି ସବୁ କାରଣରୁ TVK ସରକାର ନିଜେ ନିଜେ ଭାଙ୍ଗିଯିବ ବୋଲି ସେ ଦାବି କରିଛନ୍ତି।
କାବେରୀ ଜଳ ବିବାଦକୁ ନେଇ ସରକାରକୁ ଟାର୍ଗେଟ୍
କର୍ଣ୍ଣାଟକରୁ ତାମିଲନାଡୁର ନିର୍ଦ୍ଧାରିତ କାବେରୀ ଜଳ ହାସଲ କରିବାରେ ବିଜୟ ସରକାର ବିଫଳ ହୋଇଥିବା ପଲାନିସ୍ୱାମୀ ଅଭିଯୋଗ କରିଛନ୍ତି। ମେକେଦାତୁ ପ୍ରକଳ୍ପକୁ ନେଇ ମଧ୍ୟ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇପାରୁନାହାନ୍ତି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ DMK ମୁଖ୍ୟ ଏମ୍.କେ. ଷ୍ଟାଲିନ ମଧ୍ୟ ବିଜୟ ସରକାରଙ୍କୁ ଘେରିଥିଲେ। କୃଷକଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ସର୍ବଦଳୀୟ ବୈଠକ ଡାକିବା ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସେ ଦାବି କରିଥିଲେ।