ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏହାକୁ ସ୍ୱାଗତ କରିଛି ବିଜୁ ଜନତା ଦଳ (ବିଜେଡି)। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପାଲଟା ଘେରିଛି ଦଳ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ କ୍ୟାବିନେଟ୍ ସଦସ୍ୟ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ କରାଯିବା ଉଚିତ ବୋଲି ଦାବି କରିଛି ବିଜେଡି।
ଦଳର ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତି ଜରିଆରେ କହିଛନ୍ତି ଯେ, ଗଣତନ୍ତ୍ରରେ ସାଧାରଣ ଲୋକଙ୍କର ସରକାରୀ କାର୍ଯ୍ୟ ସମ୍ପର୍କରେ ଜାଣିବାର ପୂର୍ଣ୍ଣ ଅଧିକାର ରହିଛି। ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ବିଜେଡି ସବୁବେଳେ ଗୁରୁତ୍ୱ ଦେଇଆସିଛି। ତେଣୁ ତଦନ୍ତ ନିଷ୍ପତ୍ତିକୁ ଦଳ ସ୍ୱାଗତ କରୁଛି।
ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ଉଠାଇଲା ପ୍ରଶ୍ନ
ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଯେତେବେଳେ ବିଭିନ୍ନ ପ୍ରସଙ୍ଗରେ ଅଡ଼ୁଆ ପରିସ୍ଥିତିରେ ପଡ଼ୁଛନ୍ତି, ସେତେବେଳେ ଲୋକଙ୍କ ମୂଳ ସମସ୍ୟାରୁ ଦୃଷ୍ଟି ହଟାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ତାଙ୍କ କହିବା ଅନୁଯାୟୀ, ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଶାସନ ଦାୟିତ୍ୱରେ ଥିଲେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ମାତ୍ର ଦୁଇଥର ବିଦେଶ ଗସ୍ତ କରିଥିଲେ।
ଇଟାଲୀ ଓ ଜାପାନ ଗସ୍ତର ଉଦ୍ଦେଶ୍ୟ ବଖାଣିଲା ବିଜେଡି
ନବୀନ ପଟ୍ଟନାୟକଙ୍କ ଇଟାଲୀ ଗସ୍ତ ସମୟରେ ସେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP)ରେ ଯୋଗଦେଇ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରିଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ତାଙ୍କ ଜାପାନ ଗସ୍ତ ଯୋଗୁଁ ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବାଟ ଖୋଲିଥିଲା ବୋଲି ଲେନିନ ଦାବି କରିଛନ୍ତି। ଏହି ପ୍ରକଳ୍ପକୁ ବର୍ତ୍ତମାନର ମୋହନ ମାଝୀ ସରକାର ଠିକ୍ ଭାବେ ପରିଚାଳନା କରିପାରୁନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ମୋହନ ମାଝୀଙ୍କ ବିଦେଶ ଗସ୍ତର ତଦନ୍ତ ଦାବି
ବିଜେଡି କହିଛି, ଯଦି ସରକାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର କଥା କହୁଛନ୍ତି, ତେବେ ସମାନ ନୀତି ନିଜ କ୍ଷେତ୍ରରେ ମଧ୍ୟ ଲାଗୁ କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବରିଷ୍ଠ ଅଧିକାରୀମାନଙ୍କ ବିଦେଶ ଗସ୍ତର ଖର୍ଚ୍ଚ ଓ ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ତଦନ୍ତ ହେବା ଦରକାର ବୋଲି ଦଳ ଦାବି କରିଛି।
ହେମନ୍ତ ଶର୍ମାଙ୍କ ଭୂମିକାକୁ ନେଇ ପ୍ରଶ୍ନ
ଏହି ପ୍ରସଙ୍ଗରେ ଶିଳ୍ପ ବିଭାଗର ସଚିବ ତଥା ଗୃହ ସଚିବ ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେଡି। ଲେନିନ ମହାନ୍ତିଙ୍କ ଅଭିଯୋଗ ଅନୁସାରେ, ହେମନ୍ତ ଶର୍ମା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଭୂମିକା ନିଭାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ଆୟୋଜନ ଦାୟିତ୍ୱରେ ମଧ୍ୟ ଥିଲେ।