ପୁରୀ : ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ଆସନ୍ତା ନଭେମ୍ବର ୨୬ ଓ ୨୭ ତାରିଖରେ ପୁଣିଥରେ ଆରମ୍ଭ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ଏନେଇ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।ଗଣତିମଣତି ଚାଲିବାକୁ ଥିବା ଏହି ଦୁଇଦିନ ଧରି ଭକ୍ତମାନଙ୍କ ପାଇଁ ଭିତରକାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।
ତେବେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବାଧା ନ ଉପୁଜାଇ, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍ଓପି ଅନୁଯାୟୀ କେବଳ ଭିତରକୁ ଯିବା ଅନୁମତି ଥିବା ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ।