ଭୁବନେଶ୍ୱର : ଜାତୀୟ ହରିତ ଅଧିକରଣ (NGT) ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ୮ ଜଣ ବରିଷ୍ଠ ଅଧିକାରୀଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଅନୁଗୁଳ - ତାଳଚେର ଗୋପୀନାଥପୁର ଖାଦାନରୁ ନିର୍ଦ୍ଧାରିତ ସୀମା ବାହାରେ ବାଲି ଉତ୍ତୋଳନ ଅଭିଯୋଗ ହୋଇଥିଲା। ଏନେଇ ତାଳଚେରର ଏକ NGO ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ମାମଲା ବେଆଇନ ବାଲି ଖନନ ମାମଲାରେ କୋର୍ଟରେ ବାରମ୍ବାର ଅନୁପସ୍ଥିତ ରହିବା ଏବଂ ଜବାବ ଦାଖଲ ନକରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏହି ଜରିମାନା ତାଲିକାରେ ଅଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ଜଳସମ୍ପଦ ପ୍ରମୁଖ ସଚିବ, ଖଣି ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ (ତାଳଚେର ସର୍କଲ) । ଅନୁଗୁଳ RTO, ତାଳଚେର ଓ ପାଲଲହଡ଼ା ତହସିଲଦାରଙ୍କୁ ଜରିମାନା। ଅନୁଗୁଳ ଏସ୍ପି ଓ ତାଳଚେର ଥାନା ଆଇଆଇସିଙ୍କୁ ବି ଜରିମାନା। ପ୍ରତ୍ୟେକ ଅଧିକାରୀଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି, ଯାହା ମୋଟ ୨ ଲକ୍ଷ ଟଙ୍କା ହେଉଛି।
ସରକାରୀ ଓକିଲମାନେ ବାରମ୍ବାର ଅନୁପସ୍ଥିତ ରହିବା ଯୋଗୁଁ ପରିବେଶ ସମ୍ବନ୍ଧୀୟ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାରରେ ବିଳମ୍ବ ହେଉଥିଲା।
ତେବେ NGT-ର ଇଷ୍ଟର୍ଣ୍ଣ ଜୋନ୍ ବେଞ୍ଚ ସମସ୍ତ ୮ ଜଣ ଅଧିକାରୀଙ୍କୁ ଜରିମାନା ସହ ନିଜ ନିଜର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।