ଭୁବନେଶ୍ୱର: ଓଡ଼ିଶାରେ ବଦଳୁଛି ପାଣିପାଗର ମିଜାଜ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ରାଜ୍ୟରୁ ବିଦାୟ ନେଉଥିବା ବେଳେ ଆଗାମୀ କିଛି ଦିନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନର ସମ୍ଭାବନା ରହିଛି। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ଏକାଧିକ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରିଛି।
ଦକ୍ଷିଣ ଝାଡ଼ଖଣ୍ଡ ଉପରେ ଥିବା ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଏବଂ ହରିୟାଣାରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରଫ୍ଲାଇନ୍ ପ୍ରଭାବରେ ବାୟୁମଣ୍ଡଳରେ ଅସ୍ଥିରତା ବଢ଼ିଛି। ଏହାର ପ୍ରଭାବରେ କେତେକ ସ୍ଥାନରେ ଜୋର ପବନ ସହ ବଜ୍ରପାତ ଓ ବର୍ଷା ହୋଇପାରେ।
୩-୪ ଡିଗ୍ରୀ ବଢ଼ିଛି ତାପମାତ୍ରା
ଗତ କିଛି ଦିନ ଧରି ରାଜ୍ୟରେ ଦିନର ତାପମାତ୍ରା ବଢ଼ିଛି। ଉପକୂଳ ଅଞ୍ଚଳରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ୨ରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଚାନ୍ଦବାଲିରେ ସର୍ବାଧିକ ୩୬.୭ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୫.୪ ଡିଗ୍ରୀ ତାପମାତ୍ରା ରହିଥିଲା।
ଗତ ୨୪ ଘଣ୍ଟାରେ କେତେକ ଉତ୍ତର ଓ କେନ୍ଦ୍ରୀୟ ଜିଲ୍ଲାରେ ସ୍ଥାନୀୟ ଭାବେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ସର୍ବାଧିକ ୫ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ କାମାକ୍ଷାନଗର, ଅଲତୁମା ଓ କୋରେଇରେ ୩ ସେଣ୍ଟିମିଟର ଲେଖାଏଁ ବର୍ଷା ହୋଇଛି।
୩ ଦିନ ପାଇଁ ହଳଦିଆ ସତର୍କତା
ଆଗାମୀ ୩ ଦିନ ରାଜ୍ୟର ଏକାଧିକ ଜିଲ୍ଲାରେ ବଜ୍ରପାତ ଓ ଝଟକା ପବନ ସହ ବର୍ଷାକୁ ନେଇ ହଳଦିଆ ସତର୍କତା ଜାରି ହୋଇଛି। ତେବେ ୪ର୍ଥ ଦିନଠାରୁ ସତର୍କତା କମିବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସ୍ଥାନୀୟ ବର୍ଷା ଜାରି ରହିପାରେ। ଆଗାମୀ ୩ ଦିନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ପରେ ପୁଣି ସ୍ଥିର ହେବାର ଆକଳନ କରାଯାଇଛି।
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ!
ଏହାରି ମଧ୍ୟରେ ଚଳିତ ମାସର ତୃତୀୟ ସପ୍ତାହରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନେଇ ଆକଳନ କରାଯାଉଛି। ଏହା ମିଆଁମାର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଗଠିତ ହୋଇପାରେ।
ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍ଗୁଡ଼ିକ ଏହି ସମ୍ଭାବ୍ୟ ଲଘୁଚାପ ଉପରେ ନଜର ରଖିଛନ୍ତି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ କି ନାହିଁ, ତାହା ନେଇ ଅକ୍ଟୋବର ୧୫ ପରେ ଅଧିକ ସ୍ପଷ୍ଟତା ମିଳିବ।