ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ। ରାଜ୍ୟ ସରକାର ୭ ଜଣ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀଙ୍କ ନୂଆ ପୋଷ୍ଟିଂ ଆଦେଶ ଜାରି କରିଛନ୍ତି। ଏହି ଅଦଳବଦଳରେ ଦୁଇଟି ଜିଲ୍ଲାର କଲେକ୍ଟର ବଦଳିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ବିଭିନ୍ନ ପ୍ରମୁଖ ବିଭାଗରେ ମଧ୍ୟ ନୂଆ ଦାୟିତ୍ୱ ଦିଆଯାଇଛି।
ନବରଙ୍ଗପୁରର ନୂଆ କଲେକ୍ଟର ଅନନ୍ୟା ଦାସ
SCS-2014 ବ୍ୟାଚ୍ର ଡ. ମହେଶ୍ୱର ସ୍ୱାଇଁ, ଯିଏ ନବରଙ୍ଗପୁର କଲେକ୍ଟର ଓ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ, ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।
ତାଙ୍କ ସ୍ଥାନରେ RR-2019 ବ୍ୟାଚ୍ର IAS ଅଧିକାରୀ ଅନନ୍ୟା ଦାସ ନବରଙ୍ଗପୁରର ନୂଆ କଲେକ୍ଟର ଓ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ। ସେ ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ଥିଲେ।
ନୂଆପଡ଼ାରେ ମଧୁମିତାଙ୍କୁ ଦାୟିତ୍ୱ
SCS-2014 ବ୍ୟାଚ୍ର ମଧୁସୂଦନ ଦାଶ, ଯିଏ ନୂଆପଡ଼ା କଲେକ୍ଟର ଓ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ, ତାଙ୍କୁ GA & PG ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। RR-2020 ବ୍ୟାଚ୍ର ମଧୁମିତା ମାତୃତ୍ୱ ଛୁଟି ପରେ GA & PG ବିଭାଗରେ ଯୋଗଦେଇଥିଲେ। ଏବେ ତାଙ୍କୁ ନୂଆପଡ଼ା କଲେକ୍ଟର ଓ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି।
ଅନ୍ୟ ଅଧିକାରୀଙ୍କୁ ମଧ୍ୟ ନୂଆ ଦାୟିତ୍ୱ
SCS-2014 ବ୍ୟାଚ୍ର ପ୍ରଦୀପ କୁମାର ନାୟକଙ୍କୁ ଫାଇନାନ୍ସ ଓ ରେଭେନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ (F & ARD) ବିଭାଗର ଅତିରିକ୍ତ ସଚିବ ଭାବେ ପୋଷ୍ଟିଂ ମିଳିଛି। RR-2023 ବ୍ୟାଚ୍ର ଆଶ୍ନି ଏ ଏଲ୍ଙ୍କୁ ଭବାନୀପାଟଣା ସବ୍-କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଣ୍ଡର ସେକ୍ରେଟାରୀ ଥିଲେ।
ସେହିପରି RR-2024 ବ୍ୟାଚ୍ର କସ୍ତୁରୀ ଶାହ ଭବାନୀପାଟଣା ସବ୍-କଲେକ୍ଟର ପଦରୁ ବଦଳି GA & PG ବିଭାଗର ଅଣ୍ଡର ସେକ୍ରେଟାରୀ ଭାବେ ଦାୟିତ୍ୱ ନେବେ। ରାଜ୍ୟ ପ୍ରଶାସନର ଏହି ଅଦଳବଦଳ ମାଧ୍ୟମରେ ଜିଲ୍ଲାସ୍ତରର ପ୍ରଶାସନିକ କାର୍ଯ୍ୟ ସହ ବିଭିନ୍ନ ପ୍ରମୁଖ ବିଭାଗର କାର୍ଯ୍ୟକୁ ଆହୁରି ସୁଦୃଢ଼ ଓ ଦକ୍ଷ କରିବା ଉପରେ ସରକାର ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି।