ନୂଆଦିଲ୍ଲୀ: ନିର୍ବାହୀ ଶାସନରେ ୨୫ ବର୍ଷ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୁଧବାର ଦିଲ୍ଲୀରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା’ରେ ନିଜର ୨୫ ବର୍ଷର ଯାତ୍ରାକୁ ନେଇ ମୋଦି କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ। ଦେଶବାସୀଙ୍କ ଆଶୀର୍ବାଦ ଓ ଭରସା ଯୋଗୁଁ ସେ ଏହି ଯାତ୍ରା ଜାରି ରଖିପାରିଛନ୍ତି।
ମୋଦି କହିଛନ୍ତି, “ମୁଁ ମିଶନ ପାଇଁ ବଞ୍ଚିଛି, ବ୍ୟକ୍ତିଗତ ଆକାଂକ୍ଷା ପାଇଁ ନୁହେଁ।” ୨୦୦୧ ଅକ୍ଟୋବର ୭ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସମୟରେ ସେ ଦିନେ ଏତେ ବଡ଼ ଦାୟିତ୍ୱରେ ପହଞ୍ଚିବେ ବୋଲି ଚିନ୍ତା କରିନଥିବା କହିଛନ୍ତି।
ନିଜର ରାଜନୈତିକ ଯାତ୍ରା ସମ୍ପର୍କରେ ମୋଦି କହିଛନ୍ତି ଯେ, ନିର୍ବାଚନୀ ରାଜନୀତିକୁ ଆସିବା ପୂର୍ବରୁ ସେ ସାଂଗଠନିକ କାର୍ଯ୍ୟରେ ଜଡ଼ିତ ଥିଲେ। ଆଦିବାସୀ ଅଞ୍ଚଳରେ ସେବା କରିବା ସହ ପାହାଡ଼ ଓ ଜଙ୍ଗଲରେ ମଧ୍ୟ ସମୟ ବିତାଇଥିଲେ। ପରେ ଭାରତୀୟ ଜନତା ପାର୍ଟିର ସାଂଗଠନିକ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ।
‘ଜନତା ଜନାର୍ଦ୍ଦନ ହିଁ ମୋ ପାଇଁ ଭଗବାନ’
ନିଜର ୨୫ ବର୍ଷର ଯାତ୍ରାର ଶ୍ରେୟ ଦେଶବାସୀ ଓ ବିଜେପି କର୍ମୀଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶର କୋଟି କୋଟି ଲୋକଙ୍କ ଭରସା ତାଙ୍କର ସବୁଠାରୁ ବଡ଼ ଶକ୍ତି ବୋଲି ସେ କହିଛନ୍ତି। “ଜନତା ଜନାର୍ଦ୍ଦନ ମୋ ପାଇଁ ଭଗବାନଙ୍କ ସ୍ୱରୂପ” ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସେ ଏବେ ମଧ୍ୟ ନିଜକୁ ଜଣେ ଛାତ୍ର ଭାବେ ଦେଖନ୍ତି। ପ୍ରତିଦିନ କିଛି ନୂଆ ଶିଖି ଦେଶ ପାଇଁ ଅଧିକ କାମ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି କହିଛନ୍ତି।
ସମାଲୋଚକଙ୍କୁ ମଧ୍ୟ ଦେଲେ ଶ୍ରେୟ
ମୋଦି କହିଛନ୍ତି, ଯେଉଁମାନେ ତାଙ୍କୁ ସମର୍ଥନ କରିଛନ୍ତି, ସେମାନେ ତାଙ୍କୁ ଭରସାର ଶକ୍ତି ଶିଖାଇଛନ୍ତି। ଅନ୍ୟପକ୍ଷରେ, ସମାଲୋଚକମାନେ ତାଙ୍କୁ ନିଜକୁ ଦେଖିବା ଓ ଆତ୍ମସମୀକ୍ଷା କରିବା ଶିଖାଇଛନ୍ତି। ବିରୋଧୀମାନେ ତାଙ୍କୁ ଗଣତନ୍ତ୍ରର ଶକ୍ତି ବୁଝାଇଛନ୍ତି ବୋଲି ସେ କହିଛନ୍ତି।
୨୦୪୭ ପାଇଁ ବଡ଼ ଲକ୍ଷ୍ୟ
ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ମୋଦି କହିଛନ୍ତି ଯେ, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ, ଆତ୍ମନିର୍ଭର ଭାରତ, ଭାରତକୁ ବିଶ୍ୱର ଏକ ବଡ଼ ମାନୁଫାକ୍ଚରିଂ ହବ୍ରେ ପରିଣତ କରିବା, ଅଲିମ୍ପିକ୍ସ ଆୟୋଜନ ଏବଂ ମାନବ ମହାକାଶ ଯାତ୍ରା କ୍ଷେତ୍ରରେ ଆଗକୁ ବଢ଼ିବା ଉପରେ ଗୁରୁତ୍ୱ ରହିଛି। “ଆମେ କରିବୁ” - ଏହି ବାର୍ତ୍ତା ଦେଇ ମୋଦି ଦେଶବାସୀଙ୍କୁ ନୂଆ ସଂକଳ୍ପ ଓ ସାମୂହିକ ପ୍ରୟାସ ସହ ଭାରତକୁ ନୂଆ ଉଚ୍ଚତାକୁ ନେବାକୁ ଆହ୍ୱାନ ଦେଇଛନ୍ତି।