ନୂଆଦିଲ୍ଲୀ: ମହିଳା ପତ୍ରକାରଙ୍କ ଯୌନ ନିର୍ଯ୍ୟାତନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ଦିଲ୍ଲୀ ପୋଲିସ ଏସସିପି ବିବେକ ଭଗତଙ୍କ ପାଇଁ ଅଡ଼ୁଆ ବଢ଼ିଛି । ତାଙ୍କୁ ମିଳିଥିବା ପଦୋନ୍ନତି ନିଷ୍ପତିକୁ ପୁଣି ଥରେ ଦିଲ୍ଲୀ ସରକାର ରାତାରାତି ବଦଳାଇ ଦେଇଛନ୍ତି । ତାଙ୍କୁ ମିଳିଥିବା ଅତିରିକ୍ତ ଡେପୁଟି କମିଶନର୍ ଅଫ୍ ପୋଲିସ ବା ଏଡିସିପି ପଦରୁ ହଟାଇ ଦିଆଯାଇଛି । ସେପଟେ ମାମଲାର ସମାଧାନ ନ ହେବା ଯାଏ କୌଣସି ଅତିରିକ୍ତ ଦାୟିତ୍ୱ ବହନ କରିବେ ନାହିଁ ବୋଲି ଏସସିପି ଭଗତ ନିଜେ କହିଛନ୍ତି ।
ଦିଲ୍ଲୀ ସରକାର ୧୨ ଜଣ ସିଲେକ୍ସନ ଗ୍ରେଡ୍ DANIPS (ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପୋଲିସ ସେବା) ଅଧିକାରୀଙ୍କୁ ଅତିରିକ୍ତ ଡିସିପି ପଦ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ପରେ ପୁଣି ଥରେ ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ସଂଶୋଧିତ ଆଦେଶରେ, ଦିଲ୍ଲୀ ପୋଲିସ ଏସିପି ବିବେକ ଭଗତଙ୍କୁ ଅତିରିକ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ସମୟରେ ବିବେକ ଭଗତଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ହଇରାଣ କରିବାର ଅଭିଯୋଗ ରହିଛି । ଏହି ମାମଲାର ତଦନ୍ତ ଚାଲିଛି। ସରକାରଙ୍କ ଅନୁଯାୟୀ, ମାମଲାର ସମ୍ପୂର୍ଣ୍ଣ ତଦନ୍ତ ନହେବା ପର୍ଯ୍ୟନ୍ତ ତାଙ୍କୁ ଅତିରିକ୍ତ ଦାୟିତ୍ୱ ନ ଦେବାକୁ ବିବେକ ଭଗତ ନିଜେ ଅନୁରୋଧ କରିଥିଲେ।
ଦିଲ୍ଲୀ ସରକାର ଏହାର ସରକାରୀ 'X' ହ୍ୟାଣ୍ଡେଲରେ ବିଳମ୍ବିତ ରାତିରେ ଏକ ପୋଷ୍ଟରେ କହିଛନ୍ତି ଯେ 'DANIPS'ର 12 ଜଣ ଅଧିକାରୀଙ୍କୁ ଏଡିସିପି ପଦବୀ ଦାୟିତ୍ୱ ଦେବା ପାଇଁଅକ୍ଟୋବର ୫ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶକୁ ବିବେକ ଭଗତଙ୍କ ସମ୍ପର୍କରେ ସଂଶୋଧନ କରାଯାଉଛି । ଏହି ଅଧିକାରୀମାନଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାର ପ୍ରସ୍ତାବ ବର୍ତ୍ତମାନର ଘଟଣାର ବହୁ ପୂର୍ବରୁ ଅଗଷ୍ଟ ୨୫ ତାରିଖରେ ଆରମ୍ଭ ହୋଇଥିଲା। ଆବଶ୍ୟକୀୟ ଅନୁମୋଦନ ପରେ ଅକ୍ଟୋବର ୫ ତାରିଖରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା।
ଏଥିରେ କୁହାଯାଇଛି ଯେ ବିବେକ ଭଗତ ସ୍ୱେଚ୍ଛାକୃତ ଭାବରେ ଅନୁରୋଧ କରିଛନ୍ତି ଯେ ସେ ମହିଳା ସାମ୍ବାଦିକଙ୍କ ପ୍ରତି ହୋଇଥିବା ନିର୍ଯାତନା ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ଏବଂ ସନ୍ତୋଷଜନକ ଭାବରେ ସମାପ୍ତ ନହେବା ପର୍ଯ୍ୟନ୍ତ ତାଙ୍କର ବର୍ତ୍ତମାନର କାର୍ଯ୍ୟ ଗ୍ରହଣ କରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି, ଅ ଅକ୍ଟୋବର ୫ ତାରିଖର ଆଦେଶକୁ ସଂଶୋଧନ କରାଯାଇଛି । ବାକି ୧୧ ଜଣ ଅଧିକାରୀଙ୍କ ପାଇଁ କାର୍ଯ୍ୟ ନିର୍ଦ୍ଦେଶ ପୁନଃ ଜାରି କରାଯିବ।
ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ଜନ୍ତରମନ୍ତରରେ ନିର୍ବାଚନ କମିଶନଙ୍କ ବିରୋଧରେ ପ୍ରତିବାଦ କରିବା ସମୟରେ ତିନି ଜଣ ମହିଳା ସାମ୍ବାଦିକ ଦିଲ୍ଲୀ ପୋଲିସ ଅଧିକାରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କ୍ରାଇମବ୍ରାଞ୍ଚ ଅଭିଯୋଗର ତଦନ୍ତ କରୁଛି ।