ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି (SP) ମଧ୍ୟରେ ଆସନ ବୁଝାମଣାକୁ ନେଇ ଟଣାଓଟରା ଜାରି ରହିଛି। ନଭେମ୍ବର ୨୪ ତାରିଖରେ ମଧ୍ୟ ଦୁଇ ଦଳ ମଧ୍ୟରେ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ତେବେ ଖୁବଶୀଘ୍ର ଏହି ଅଙ୍କ ଛିଣ୍ଡିବ ବୋଲି ଉଭୟ ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ଏହି ରାଜନୈତିକ ଟଣାଓଟରା ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ୍ସରେ ଶାୟରୀ ମାଧ୍ୟମରେ ନିଜର ମତ ରଖିଛନ୍ତି। ସେ ଲେଖିଛନ୍ତି, “ଜିତିବାର ସମ୍ଭାବନା ଥିବା ପ୍ରଥମ ୨୬ଟି ଆସନରୁ ଆରମ୍ଭ ହୋଇଛି କଥାବାର୍ତ୍ତା, ମିଳିମିଶି ବୁଝାମଣାର ସହ ଆଗକୁ ବଢ଼ିବ ଆଲୋଚନା।”
ଅଖିଳେଶଙ୍କ ଏହି ବୟାନରୁ ଆସନ ବଣ୍ଟନ ପ୍ରସଙ୍ଗରେ ଦଳର ନରମ ଆଭିମୁଖ୍ୟର ସଙ୍କେତ ମିଳୁଛି। ତେବେ କଂଗ୍ରେସକୁ ୨୬ରୁ ଅଧିକ ଆସନ ମିଳିବ କି ନାହିଁ, ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବ।
ସାଢ଼େ ୩ ଘଣ୍ଟାର ବୈଠକ ପରେ ବି ଛିଣ୍ଡିଲାନି ଅଙ୍କ
ଆସନ ବୁଝାମଣାକୁ ନେଇ ମଙ୍ଗଳବାର ଉଭୟ ଦଳର ନେତାଙ୍କ ମଧ୍ୟରେ ପ୍ରାୟ ସାଢ଼େ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। କିନ୍ତୁ ବୈଠକରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ବାହାରିପାରିନଥିଲା। ବୈଠକ ପରେ ସମାଜବାଦୀ ପାର୍ଟିର ମହାସଚିବ ରାମଗୋପାଳ ଯାଦବ କହିଥିଲେ ଯେ, ସକାରାତ୍ମକ ପରିବେଶରେ ଆଲୋଚନା ଚାଲିଛି। ଖୁବଶୀଘ୍ର ଆସନ ବଣ୍ଟନ ନେଇ ସହମତି ପ୍ରକାଶ ପାଇବ।
ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଆଲୋଚନା ସଫଳ ଦିଗରେ ଆଗକୁ ବଢ଼ୁଥିବା ଦାବି କରାଯାଇଛି। କେତେକ ଆସନକୁ ନେଇ ତଥ୍ୟ ଓ ରାଜନୈତିକ ଗଣିତ ଆଧାରରେ ଆଲୋଚନା ଚାଲିଥିବା ଦଳୀୟ ନେତା କହିଛନ୍ତି।
ଅଖିଳେଶ-ରାହୁଲଙ୍କ ଆଲୋଚନା ପରେ ହେବ ଅନ୍ତିମ ନିଷ୍ପତ୍ତି
ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ତାରିକ ଅନୱର କହିଛନ୍ତି ଯେ, ଆସନ ବଣ୍ଟନକୁ ନେଇ ଆଲୋଚନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଶେଷରେ ଅଖିଳେଶ ଯାଦବ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଥାବାର୍ତ୍ତା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତାଙ୍କ କହିବା ଅନୁସାରେ, ଏବେ ଉଭୟ ପକ୍ଷରୁ ଆସୁଥିବା ଦାବି ଓ ବୟାନକୁ ଅନ୍ତିମ ନିଷ୍ପତ୍ତି ଭାବେ ଗ୍ରହଣ କରିବା ଠିକ୍ ହେବ ନାହିଁ।
କଂଗ୍ରେସର ନଜର ୧୩୨ ଆସନ ଉପରେ !
ସୂତ୍ର ଅନୁସାରେ, ଉତ୍ତରପ୍ରଦେଶରେ କଂଗ୍ରେସ ମୋଟ ୧୩୨ଟି ଆସନକୁ ନେଇ ନିଜର ରଣନୀତି ପ୍ରସ୍ତୁତ କରିଛି। ଏହି ଆସନଗୁଡ଼ିକୁ ଦଳ ତିନୋଟି ବର୍ଗରେ ବିଭକ୍ତ କରିଛି।
A କ୍ୟାଟେଗୋରୀ: ଏଥିରେ ୪୬ଟି ଆସନ ରହିଛି।
B କ୍ୟାଟେଗୋରୀ: ଏହି ବର୍ଗରେ ୨୧ଟି ଆସନ ରହିଛି।
C କ୍ୟାଟେଗୋରୀ: ଅବଶିଷ୍ଟ ୬୫ଟି ଆସନ ଏହି ବର୍ଗରେ ରହିଛି।
ସୂତ୍ରର ଦାବି ଅନୁସାରେ, A ଓ B ବର୍ଗର ମୋଟ ୬୭ଟି ଆସନକୁ ନେଇ କଂଗ୍ରେସ କୌଣସି ସାଲିସ୍ କରିବାକୁ ଚାହୁଁନାହିଁ। ଅନ୍ୟପଟେ C ବର୍ଗର ୬୫ଟି ଆସନକୁ ନେଇ ଦଳ ଆଲୋଚନା ଓ ବୁଝାମଣା ପାଇଁ ପ୍ରସ୍ତୁତ ରହିଛି।
ଏଭଳି ସ୍ଥିତିରେ ସମାଜବାଦୀ ପାର୍ଟିର ୨୬ ଆସନର ପ୍ରସ୍ତାବ ଓ କଂଗ୍ରେସର ୧୩୨ ଆସନକୁ ନେଇ ରହିଥିବା ଦାବି ମଧ୍ୟରେ କିପରି ସମାଧାନର ରାସ୍ତା ବାହାରୁଛି, ତାହା ଉପରେ ସମସ୍ତଙ୍କ ନଜର। ଉଭୟ ଦଳ ମଧ୍ୟରେ ମେଣ୍ଟ ରାଜନୀତିର ଭବିଷ୍ୟତ ଏହି ଆସନ ବୁଝାମଣା ଉପରେ ଅନେକାଂଶରେ ନିର୍ଭର କରୁଛି।