ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭାରତ ସରକାର ବଙ୍ଗଳା ପ୍ରଦାନ କରିଛନ୍ତି । ଦିଲ୍ଲୀସ୍ଥିତ ଲୁଟିୟନ୍ସ ଅଞ୍ଚଳରେ ପଣ୍ଡିତ ରବିଶଙ୍କର ଲେନରେ ଦଲାଇ ଲାମାଙ୍କୁ ଦିଆଯାଇଥିବା ବଙ୍ଗଳାର ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଦଲାଇ ଲାମା ସେଠାରେ ରହିବେ ।
କେନ୍ଦ୍ର ଲୋକ ନିର୍ମାଣ ବିଭାଗ ଦଲାଇ ଲାମାଙ୍କୁ ଆବଣ୍ଟିତ କରାଯାଇଥିବା ବଙ୍ଗଳାର ସୁରକ୍ଷା ପାଇଁ ୩୪.୯୪ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଚାରି ପାଖ ପାଚେରୀରେ କଣ୍ଟା ତାର ବାଡ଼ ରହିଛି । ପ୍ରବେଶ ପଥ ମୁଖ୍ୟ ଫାଟକରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି । ଏହା ସହିତ ଏକ ସୁରକ୍ଷା କ୍ୟାବିନ ନିର୍ମାଣ କରାଯାଇଛି ।
ଦଲାଇ ଲାମାଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଦଲାଇ ଲାମାଙ୍କ ବୟସାଧିକ ଦୃଷ୍ଟିରୁ ଯାତାୟାତ ଏବଂ ହୋଟେଲ୍ ରହଣୀରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସେଥିପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ସହିତ ଦଲାଇ ଲାମାଙ୍କ କାର୍ଯ୍ୟାଳୟରେ ମିଳିତ ସହଯୋଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ସେପଟେ ଆମେରିକା-ଚୀନ୍ ଅର୍ଥନୈତିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ ଚିନ୍ତା ପ୍ରକାଶ କରିଛି ଯେ ଚୀନ୍ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାକୁ ବୈଧତା ଉପରେ ଏକ ଅନ୍ତର୍ଜାତୀୟ ବିବାଦରେ ପରିଣତ କରିପାରେ। ଦଲାଇ ଲାମା ଉତ୍ତରାଧୀକାରୀ ଚୟନରେ ଚୀନ ରଣନୈତିକ ଚାପର ପ୍ରୟୋଗ କରିପାରେ । ଆମେରିକା କଂଗ୍ରେସରେ ଦାଖଲ ହୋଇଥିବା ଏହାର ରିପୋର୍ଟରେ, ଉଭୟ ପ୍ରମୁଖ ରାଜନୈତିକ ଦଳ ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥିବା କମିଶନ୍ ସୁପାରିଶ କରିଛି ଯେ ୧୪ତମ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ କରିବା କେବଳ ଗାଡେନ୍ ଫୋଡ୍ରଙ୍ଗ୍ ଟ୍ରଷ୍ଟର ଦାୟିତ୍ୱ । ଭାରତ
ଆମେରିକା-ଚୀନ୍ ଅର୍ଥନୈତିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ ଭାରତ ସରକାରଙ୍କ ଯୋଗାଯୋଗରେ ମଧ୍ୟ ରହିଛନ୍ତି ।