ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ଭାରତୀୟ ସେନା, ଅର୍ଦ୍ଧସାମରିକ ବାହିନୀ ଏବଂ ପ୍ରତିରକ୍ଷା ବିଭାଗ ସହ ଜଡ଼ିତ କିଛି ଅଧିକାରୀଙ୍କ ବ୍ୟକ୍ତିଗତ WhatsApp ଗ୍ରୁପ୍ରେ ପାକିସ୍ତାନୀ ଗୁପ୍ତଚରଙ୍କ ଅନୁପ୍ରବେଶ ହୋଇଥିବା ସନ୍ଦେହ କରିଛନ୍ତି ଭାରତୀୟ ସୁରକ୍ଷା ଏଜେନ୍ସି। ଏହି ଘଟଣାକୁ ସମ୍ଭାବ୍ୟ ସାଇବର ଗୁପ୍ତଚରୀ ଅଭିଯାନ ଭାବେ ଦେଖାଯାଉଛି।
ଏହି ସୂଚନା ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ କରାଯାଇଛି। ସେନା ଓ ପ୍ରତିରକ୍ଷା କ୍ଷେତ୍ରର ଅଧିକାରୀମାନେ ବ୍ୟବହାର କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟ ଏବଂ WhatsApp ଗ୍ରୁପ୍ଗୁଡ଼ିକର ବ୍ୟାପକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
୧୩ରୁ ୧୪ଟି WhatsApp ଗ୍ରୁପ୍ରେ ଅନୁପ୍ରବେଶ ସନ୍ଦେହ
ରିପୋର୍ଟ ଅନୁସାରେ, ପାକିସ୍ତାନରେ ରହି କାର୍ଯ୍ୟ କରୁଥିବା କିଛି ଗୁପ୍ତଚର ଏଜେଣ୍ଟ ଭାରତୀୟ ପ୍ରତିରକ୍ଷା ଅଧିକାରୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ଏବଂ ପ୍ରତିରକ୍ଷା ବିଭାଗର ଅସାମରିକ କର୍ମଚାରୀଙ୍କ ପ୍ରାୟ ୧୩ରୁ ୧୪ଟି ବ୍ୟକ୍ତିଗତ WhatsApp ଗ୍ରୁପ୍ରେ ପ୍ରବେଶ କରିଥିବା ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି।
ଏହି ଗ୍ରୁପ୍ଗୁଡ଼ିକରେ ଅଜଣା ସଦସ୍ୟଙ୍କ ଉପସ୍ଥିତି ଚିନ୍ତା ବଢ଼ାଇଛି। ସେମାନେ ଗ୍ରୁପ୍ରେ ନିଷ୍କ୍ରିୟ ସଦସ୍ୟ ଭାବେ ରହି ବିଭିନ୍ନ ଆଲୋଚନା ଓ ଡକ୍ୟୁମେଣ୍ଟ ଉପରେ ନଜର ରଖୁଥିବା ଆଶଙ୍କା କରାଯାଉଛି।
ମୋବାଇଲ ନମ୍ବରରେ ଜାଲିଆତି କରି ପ୍ରବେଶ!
ସୁରକ୍ଷା ଅଧିକାରୀଙ୍କ ସନ୍ଦେହ ଅନୁଯାୟୀ, ଏହି ଗୁପ୍ତଚରମାନେ ଭାରତୀୟ ମୋବାଇଲ ନମ୍ବରର ନକଲ କିମ୍ବା ଅନ୍ୟ ଉପାୟରେ ନମ୍ବରରେ ହେରଫେର କରି WhatsApp ଗ୍ରୁପ୍ରେ ସାମିଲ ହୋଇଥାଇପାରନ୍ତି।
ଏହାକୁ ଏକ ଯୋଜନାବଦ୍ଧ ସାଇବର ଗୁପ୍ତଚରୀ ଉଦ୍ୟମ ବୋଲି ଆକଳନ କରାଯାଉଛି। ବିଶେଷକରି ସମ୍ବେଦନଶୀଳ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଯୋଗାଯୋଗ ଉପରେ ନଜର ରଖାଯାଉଥିବା ଆଶଙ୍କା ରହିଛି।