ନୂଆଦିଲ୍ଲୀ: ଯଦି ଆପଣ ପବ୍ଲିକ୍ କମ୍ପ୍ୟୁଟର୍, ଅଫିସ୍ କମ୍ପ୍ୟୁଟର କିମ୍ବା ଅନ୍ୟର ଲାପଟପରେ ନିଜର ୱାଟସ୍ ୱେବ୍ ଆକାଉଣ୍ଟ ଖୋଲି ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । କେନ୍ଦ୍ର ସରକାରଙ୍କ ସାଇବର ଅପରାଧ ବିରୋଧୀ ବିଭାଗ ହ୍ୱାଟ୍ସଆପ୍ ୱେବ୍ ଫିଚର୍ ନେଇ ବଡ଼ ଚେତାବନୀ ଜାରି କରିଛନ୍ତି । ହ୍ୱାଟ୍ସଆପ୍ ୱେବ୍ ଦ୍ୱାରା ଉପଭୋକ୍ତାଙ୍କ ସମସ୍ତ ତଥ୍ୟ ଚୋରି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ଅଧୀନରେ କାର୍ଯ୍ୟ କରୁଥିବା ଜାତୀୟ ସାଇବର ଅପରାଧ ବିପଦ ଆନାଲିଟିକ୍ସ ୟୁନିଟ୍ (NCTAU) ସତର୍କ କରାଇଛି । ସାଇବର ଅପରାଧୀ ବା ହ୍ୟାକର୍ସ ମାନେ ୱାଟସ୍ଆପ୍ ୱେବ୍ ମାଧ୍ୟମରେ ତଥ୍ୟ ନେଇଯାଇପାରନ୍ତି ।
ଜାତୀୟ ସାଇବର ଅପରାଧ ବିପଦ ଆନାଲିଟିକ୍ସ ୟୁନିଟ୍ ପରାମର୍ଶଦାତା ସ୍ପଷ୍ଟ କରିଛନ୍ତି ଯେ ହ୍ୟାକର୍ସମାନେ ଆକାଉଣ୍ଟରେ ଅନଧିକୃତ ପ୍ରବେଶ ପାଇବା ପରେ, ସେମାନେ ବ୍ୟକ୍ତିଗତ ମେସେଜଗୁଡ଼ିକ ପଢ଼ିପାରିବେ ଏବଂ ଯୋଗାଯୋଗ ତାଲିକା ଏବଂ ଗ୍ରୁପ୍ ଚାଟ୍ ଦେଖିପାରିବେ। ସେମାନେ ପ୍ରକୃତ ଆକାଉଣ୍ଟ ମାଲିକ ଭାବରେ ନିଜକୁ ବାର୍ତ୍ତା ପଠାଇପାରନ୍ତି ଏବଂ ଠକେଇ, ଫିସିଂ କିମ୍ବା ସାମାଜିକ ଇଞ୍ଜିନିୟରିଂ ଭଳି ଠକେଇ କରିବା ପାଇଁ ବ୍ୟବହାରକାରୀଙ୍କ ପରିଚୟକୁ ବ୍ୟବହାର କରିପାରନ୍ତି ।
ତେଣୁ ଯଦି ଜଣେ ଅନ୍ୟ କମ୍ପ୍ୟୁଟର୍ କିମ୍ବା ଲାପଟପରେ ୱାଟସ୍ଆପ୍ ୱେବ୍ ଖୋଲିଛନ୍ତି ତେବେ ସେଥିପାଇଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । କେବଳ ବ୍ରାଉଜର୍ ୱିଣ୍ଡୋ କିମ୍ବା ଟ୍ୟାବ୍ ବନ୍ଦ କରିବା ଯଥେଷ୍ଟ ନୁହେଁ । ଯଦି ସେସନ୍ ଆକ୍ଟିଭ୍ ଥିବ ତେବେ ପରବର୍ତ୍ତୀ କମ୍ପ୍ୟୁଟର୍ ବ୍ୟବାହାରକାରୀ ସହଜରେ ଆପଣଙ୍କ ୱାଟସ୍ଆପ୍ ୱେବ୍ ଆକାଉଣ୍ଟକୁ ଖୋଲି ପାରିବ । ତେଣୁ ପ୍ରତିଥର ୱାଟସ୍ଆପ୍ ୱେବ୍ ଖୋଲିବା ପରେ ଲଗ୍ ଆଉଟ୍ କରିବା ନିତ୍ୟାନ୍ତ ଜରୁରୀ ।
ୱାଟସ୍ଆପ୍ ୱେବ୍ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି । ଯାହାକି ଅନଧିକୃତ ପ୍ରବେଶକୁ ଆକାଉଣ୍ଟକୁ ସୁରକ୍ଷା ଦେବ ।
ସୁରକ୍ଷା ପଦକ୍ଷେପ
ସାର୍ବଜନୀନ କିମ୍ବା ଅପରିଚିତ ଡିଭାଇସରେ ୱାଟସ୍ଆପ୍ ୱେବ୍ ଲଗ୍ ଇନ୍ କରିବାରୁ ବିରତ ରୁହନ୍ତୁ ।
ଇନକଗ୍ନିଟୋ ମୋଡ୍ କିମ୍ବା 'ବ୍ୟକ୍ତିଗତ ବ୍ରାଉଜିଂ' ମୋଡ୍ ବ୍ୟବହାର କରନ୍ତୁ । କାମ ସରିବା ପରେ ମାନୁଆଲି ଲଗ୍ ଆଉଟ୍ କରନ୍ତୁ ।
ଯଦି ଆକାଉଣ୍ଟ ଅସ୍ୱାଭାବିକ କାର୍ଯ୍ୟକଳାପ କିମ୍ବା କିଛି ମେସେଜ୍ ଆଦାନ ପ୍ରଦାନ ଦେଖନ୍ତି ତେବେ ତୁରନ୍ତ ୱାଟସ୍ଆପ୍ ୱେବକୁ ଲଗ୍ ଆଉଟ୍ କରନ୍ତୁ । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ।
ନିୟମିତ ଭାବରେ ଆପଣଙ୍କ ଡିଭାଇସ୍, ଅପରେଟିଂ ସିଷ୍ଟମ୍, ବ୍ରାଉଜର୍ ଏବଂ ସୁରକ୍ଷା ସଫ୍ଟୱେର୍ ଅପଡେଟ୍ କରନ୍ତୁ। ଏହା ସହିତ, ସନ୍ଦେହଜନକ ଡାଉନଲୋଡ୍, ଅଜଣା ଫାଇଲ୍ ଏବଂ 'କ୍ରାକ୍' ସଫ୍ଟୱେର୍ ଏଡ଼ାନ୍ତୁ।