ନୂଆଦିଲ୍ଲୀ: ୨୮ ବର୍ଷ ପୁରୁଣା ମାମଲାରେ ଉତ୍ତର ପ୍ରଦେଶ ଲକ୍ଷ୍ନୌ ଏମପି-ଏମଏଲଏ ସ୍ୱତନ୍ତ୍ର ଅଦାଲତ ପୂର୍ବତନ ସାଂସଦଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ବନୱାରୀ ଲାଲ କଂଛଲଙ୍କୁ ଅଦାଲତ ୩ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ତାଙ୍କ ସହିତ ହୁକୁମଚନ୍ଦ ଅଗ୍ରୱାଲ ଏବଂ ଦେଶରାଜ ଅଗ୍ରୱାଲଙ୍କୁ ମଧ୍ୟ ଜେଲ ହୋଇଛି ।
୧୯୯୮ ମସିହା, ଅଗଷ୍ଟ ୧୨ ତାରିଖରେ ହଜରତଗଞ୍ଜ ସ୍ଥିତ ବାଣିଜ୍ୟ କର ଭବନରେ ହୋଇଥିବା ମାରପିଟ ଘଟଣାରେ ଅଦାଲତ ରାୟ ଶୁଣାଇଛନ୍ତି । ଉପରୋକ୍ତ ତିନି ଦୋଷୀ ସରକାରୀ କାର୍ୟ୍ୟାଳୟରେ ଭଙ୍ଗାରୁଜା କରିବା ସହିତ କାର୍ୟ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ତତ୍କାଳୀନ ଆସିଷ୍ଟାଣ୍ଟ କମିଶନର ହଜରତଗଞ୍ଜ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିଥିଲେ । ଏହି ମାମଲାରେ ସେବେଠାରୁ ଅଦାଲତରେ ବିଚାରଧୀନ ରହିଥିଲା ।
ନଭେମ୍ବର ୧୯ ତାରିଖରେ, ଅଦାଲତ ମାମଲାର ଶୁଣାଣି କରି ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ପରେ ଆଜି ଦଣ୍ଡାଦେଶ ଆସିଛି । ବନୱାରୀ ଲାଲ କଂଛଲ, ହୁକୁମଚନ୍ଦ ଅଗ୍ରୱାଲ ଏବଂ ଦେଶରାଜ ଅଗ୍ରୱାଲଙ୍କୁ ତିନି ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଛି । ସେମାନଙ୍କ ପକ୍ଷ ରଖୁଥିବା ଓକିଲ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଛନ୍ତି ।