ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆରମ୍ଭ ହୋଇଗଲାଣି ହାଡ଼ଭଙ୍ଗା ଶୀତର ପ୍ରକୋପ। ମଙ୍ଗଳବାର ଶ୍ରୀନଗରରେ ଚଳିତ ଋତୁର ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି। ସହରର ସର୍ବନିମ୍ନ ତାପମାତ୍ରା ମାଇନସ୍ ୧.୬ ଡିଗ୍ରୀ ସେଲସିୟସକୁ ଖସିଆସିଛି। ଅନ୍ୟପଟେ ପହଲଗାମରେ ପାରଦ ମାଇନସ୍ ୪.୬ ଡିଗ୍ରୀକୁ ଖସିଥିବା ବେଳେ ଗୁଲମର୍ଗରେ ୦.୨ ଡିଗ୍ରୀ ରେକର୍ଡ ହୋଇଛି। ଆଗକୁ ଶୀତର ପ୍ରକୋପ ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ସ୍ଥାନୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୁଖତାର ଅହମଦ କହିଛନ୍ତି ଯେ, ମଙ୍ଗଳବାର ଶ୍ରୀନଗରରେ ମାଇନସ୍ ୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏହା ଚଳିତ ଶୀତଋତୁର ଏପର୍ଯ୍ୟନ୍ତ ସବୁଠାରୁ ଥଣ୍ଡା ରାତି। ନଭେମ୍ବର ଶେଷ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ଥିବାରୁ ରାତିର ତାପମାତ୍ରା ଆହୁରି ହ୍ରାସ ପାଇପାରେ ବୋଲି ସେ କହିଛନ୍ତି।
କେଉଁଠି କେତେ ତାପମାତ୍ରା?
କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଅନୁଭୂତ ହୋଇଛି।
- ଶ୍ରୀନଗର: ମାଇନସ୍ ୧.୬ ଡିଗ୍ରୀ
- ପହଲଗାମ: ମାଇନସ୍ ୪.୬ ଡିଗ୍ରୀ
- ଗୁଲମର୍ଗ: ୦.୨ ଡିଗ୍ରୀ
- ଭଦରୱାହ: ୨.୮ ଡିଗ୍ରୀ
- ଜାମ୍ମୁ: ୯.୬ ଡିଗ୍ରୀ
- କାଟ୍ରା: ୧୦.୫ ଡିଗ୍ରୀ
- ବଟୋଟେ: ୧୦.୫ ଡିଗ୍ରୀ
- ବନିହାଲ: ୧୩.୭ ଡିଗ୍ରୀ
ସକାଳୁ ଖାଁ ଖାଁ ରାସ୍ତାଘାଟ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ
ପ୍ରବଳ ଥଣ୍ଡା ଓ ସକାଳରେ ତୁଷାର ଜମିବା ଯୋଗୁଁ ଶ୍ରୀନଗର ସମେତ କାଶ୍ମୀରର ଅନେକ ସହରରେ ରାସ୍ତାଘାଟ ଓ ବଜାର ଜନଶୂନ୍ୟ ହୋଇପଡ଼ୁଛି। ମଧ୍ୟାହ୍ନ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ କମ୍ ରହୁଛି। ତେବେ ଏଭଳି ହାଡ଼ଭଙ୍ଗା ଶୀତ ମଧ୍ୟରେ ଶ୍ରୀନଗରର ବୁଲେଭାର୍ଡ ରୋଡ୍ରେ କିଛି ଯୁବକ ସାଇକେଲିଂ କରୁଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଅତ୍ୟଧିକ ଥଣ୍ଡାରେ ଅଧିକ ସମୟ ରହିବା ଦ୍ୱାରା ଛାତି ଓ ଶ୍ୱାସଜନିତ ସମସ୍ୟା ବଢ଼ିପାରେ ବୋଲି ଫୁସଫୁସ୍ ରୋଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ଡିସେମ୍ବର ୨୧ରୁ ଆରମ୍ଭ ହେବ ଚିଲ୍ଲାଇ କଲାଁ
କାଶ୍ମୀରର ସବୁଠାରୁ କଠିନ ଶୀତକାଳ ଭାବେ ପରିଚିତ ୪୦ ଦିନିଆ 'ଚିଲ୍ଲାଇ କଲାଁ' ଡିସେମ୍ବର ୨୧ରୁ ଆରମ୍ଭ ହୋଇ ଜାନୁଆରୀ ୩୦ରେ ଶେଷ ହେବ। ଏହି ସମୟରେ ଶୀତର ପ୍ରକୋପ ଚରମ ସୀମାରେ ପହଞ୍ଚିଥାଏ। ରାତିର ତାପମାତ୍ରା ମାଇନସ୍ ୭ ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଉଥିବା ବେଳେ ଦିନର ତାପମାତ୍ରା ମଧ୍ୟ କ୍ୱଚିତ୍ ୭ ଡିଗ୍ରୀ ଉପରକୁ ଯାଇଥାଏ।
ଏହି ଭୟଙ୍କର ଶୀତକୁ ସାମ୍ନା କରିବା କାଶ୍ମୀରବାସୀଙ୍କ ପାଇଁ ଏକ ବଡ଼ ଆହ୍ୱାନ। ପିଢ଼ି ପରେ ପିଢ଼ି ଲୋକେ ମୋଟା ଉଲ୍ର ପୋଷାକ, ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଏବଂ ଘର ଭିତରେ ଉପଯୁକ୍ତ ତାପ ବ୍ୟବସ୍ଥା ମାଧ୍ୟମରେ ଏହି ଶୀତ ସହ ଲଢ଼ି ଆସୁଛନ୍ତି। କାଶ୍ମୀରରେ ଏବେଠାରୁ ଶୀତର ଏଭଳି ପ୍ରକୋପ ଆଗକୁ ଆସୁଥିବା ଚିଲ୍ଲାଇ କଲାଁର କଠିନ ଦିନଗୁଡ଼ିକର ସଙ୍କେତ ଦେଉଛି।