ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ପୁଣି ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇଛି । ରାମଜନ୍ମ ଭୂମି ଅଯୋଧ୍ୟାରୁ ସୀତା ମାତାଙ୍କ ଜନ୍ମଭୂମି ଜନକପୁରୀକୁ ଗଡ଼ିଛି ରେଳ । ଏହା ସହିତ ଦୁଇ ଦେଶ ମଧ୍ୟରେ ଏକାଧିକ ଚୁକ୍ତି ସ୍ୱାକ୍ଷରିତ ହେବା ସହିତ ଭାରତ ପଡ଼ୋଶୀ ରାଜ୍ୟ ନେପାଳର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି ।
ସୋମବାର ଭାରତ ଗସ୍ତରେ ଥିବା ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଭାରତ ଓ ନେପାଳ ମଧ୍ୟରେ ବଡ଼ ବଡ଼ ୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସିଭିଲ୍ ସର୍ଭିସ୍ କ୍ଷମତା ବିକାଶ ପ୍ରଶିକ୍ଷଣ, ମହାକାଶ ଗବେଷଣା, ସ୍ୱାସ୍ଥ୍ୟ ଓ ଚିକିତ୍ସ, ସହରାଞ୍ଚଳ ବିକାଶ, ଆୟୁର୍ବେଦ ଏବଂ ପାରମ୍ପରିକ ଚିକିତ୍ସା ପଦ୍ଧତି, ସଂଯୋଗ ବ୍ୟବସ୍ଥା, ଶକ୍ତି ଏବଂ ପୁନର୍ନିର୍ମାଣ ଓ ବିକାଶ କ୍ଷେତ୍ରରେ ସହଯୋଗର ଆଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ବିକାଶ ପାଇଁ ୨୪ ହଜାର କୋଟି ନେପାଳ ଟଙ୍କା (ଭାରତୀୟ ମୁଦ୍ରାରେ ୧୫ ହଜାର କୋଟି) ଟଙ୍କା ଘୋଷଣା କରିଛନ୍ତି ।
ଅଯୋଧ୍ୟାରୁ ଜନକପୁରୀକୁ ଗଡ଼ିଲା ଟ୍ରେନ
ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟାକୁ ମାତା ସୀତାଙ୍କ ଜନ୍ମସ୍ଥାନ ଜନକପୁର ସହିତ ଯୋଡ଼ିବା ପାଇଁ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଲେନ୍ ଶାହ ଏକ ଟ୍ରେନର ଶୁଭାରମ୍ଭ କରିଛନ୍ତି । ନେପାଳ ସହିତ ଧାର୍ମିକ, ସାଂସ୍କୃତିକ ଏବଂ ସାମାଜିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଅଯୋଧ୍ୟା ଓ ଜନକପୁର ମଧ୍ୟରେ ଚାଲିବାକୁ ଥିବା 'ସରୟୁ-କମଳା ଏକ୍ସପ୍ରେସ୍'ର ଶୁଭାରମ୍ଭ ହୋଇଛି । ନଭେମ୍ବର ୨୮ ତାରିଖରୁ ଟ୍ରେନର ନିୟମିତ ପରିଚାଳନା ଆରମ୍ଭ ହେବ।
'ପଡ଼ୋଶୀ ପ୍ରଥମ' ନୀତି ଉପରେ ମୋଦୀଙ୍କ ଗୁରୁତ୍ୱ
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମ ସମ୍ମୁଖରେ 'ପଡ଼ୋଶୀ ପ୍ରଥମ' ନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୋଦୀ ବାଲେନ୍ଦ୍ର ଶାହଙ୍କୁ ପ୍ରଶଂସା କରିଛନ୍ତି । ବାଲେନ୍ଦ୍ର ଶାହ ବିଶ୍ୱର ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ ଅଟନ୍ତି । ୩୫ ବର୍ଷୀୟ ନେପାଳୀ ନେତାଙ୍କ ନିଜ ଦେଶ ପାଇଁ ଥିବା ଦୂରଦୃଷ୍ଟିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯ ଏହି ବର୍ଷ ନେପାଳର ଜନତା ତାଙ୍କୁ ଯେଉଁ ଐତିହାସିକ ଜନମତ ପ୍ରଦାନ କରିଛନ୍ତି, ତାହା ଦେଶର ନୂତନ ପିଢ଼ିର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରେ। ପ୍ରଧାନମନ୍ତ୍ରୀ ମୋଦୀ ବାଲେନ୍ଦ୍ରଙ୍କ ସ୍ୱାଗତ କରି ଖୁସି ବ୍ୟକ୍ତ କରିଛନ୍ତି । ପଦଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଅଟେ। କିଛି ମାସ ପୂର୍ବେ, ଯେତେବେଳେ ସେ ବିଶ୍ୱର ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ମିଳିତ ଜାତିସଂଘରେ ନିଜର ମତ ରଖିଥିଲେ, ସେତେବେଳେ ଆମେ ତାଙ୍କର ଦୂରଦୃଷ୍ଟି ଏବଂ ଚିନ୍ତାଧାରାର ଏକ ସ୍ପଷ୍ଟ ଝଲକ ପାଇଥିଲୁ। ଭାରତ ଓ ନେପାଳ ମଧ୍ୟରେ କେବଳ ପଡ଼ୋଶୀ ନୁହେଁ ଆପଣା ଏବଂ ଅତୁଟ ବିଶ୍ୱାସର ସମ୍ପର୍କ । ଉଭୟ ଦେଶ ଖୁସି ଏବଂ ଜଟିଳ ପରିସ୍ଥିତିର ପରସ୍ପର ସାହାରା । ଭଗବାନ ରାମ ଓ ମାତା ସୀତାଙ୍କ ଆମ ସଭ୍ୟତା ଓ ଆସ୍ଥାର ପରିଚୟ ।
ମୋଦୀ କହିଛନ୍ତି ଯେ ନୂଆଦିଲ୍ଲୀ ଏବଂ କାଠମାଣ୍ଡୁ ଉଭୟ ଦେଶ ମଧ୍ୟରେ ଥିବା ସୀମା ଦେଇ ସଡ଼କ, ରେଳ ଏବଂ ଅନ୍ୟାନ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତ ଦୀର୍ଘ ବର୍ଷ ଧରି ନେପାଳକୁ ପେଟ୍ରୋଲିୟମ ଉତ୍ପାଦ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଥିବା ଏକ ବିଶ୍ୱସ୍ତ ଯୋଗାଣକାରୀ ରହିଆସିଛି। ମୋଦୀ କହିଛନ୍ତି ପଡ଼ୋଶୀ ପ୍ରଥମ ନୀତି ଅନୁଯାୟୀ ଚଳିତ ବର୍ଷ ତୈଳ ଯୋଗାଣ କ୍ଷେତ୍ରରେ ଗୁରୁତର ଆହ୍ୱାନ ଥିବା ସତ୍ତ୍ୱେ, ଭାରତ ନେପାଳକୁ ଇନ୍ଧନ, ସାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଜାରି ରଖିଛି।
ନେପାଳ-ଭାରତ ସମ୍ପର୍କ ହିମାଳୟ ପରି ଦୃଢ଼- ବାଲେନ ଶାହ
ନିଜ ଭାଷଣରେ ବାଲେନ୍ ଶାହ, ତାଙ୍କର ଦୁଇ ଦିନିଆ ସରକାରୀ ଗସ୍ତ ସମୟରେ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ଅତ୍ୟନ୍ତ ଉତ୍ତମ ଆତିଥ୍ୟର ପ୍ରଶଂସା କରିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେପାଳ ଗସ୍ତ କରିବା ପାଇଁ ମଧ୍ୟ ନିମନ୍ତ୍ରଣ ଜଣାଇଥିଲେ। ଭାରତ ଏବଂ ନେପାଳ ମଧ୍ୟରେ ଥିବା ଗଭୀର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ବାଲେନ୍ ଶାହ କହିଛନ୍ତି ଯେ ନେପାଳ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ହିମାଳୟ ପରି ଦୃଢ଼ ଏବଂ ମହାସାଗର ପରି ବିଶାଳ ଅଟେ। ଆମର ଏହି ବନ୍ଧନ ଏତେ ଗଭୀର ଯେ ଏହାକୁ ସମ୍ପୂର୍ଣ୍ଣ ରୂପେ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଏକ ବିଶ୍ୱସ୍ତ ପଡ଼ୋଶୀ ଭାବରେ, ପ୍ରାକୃତିକ ବିପର୍ଯ୍ୟୟ ଏବଂ କଠିନ ସମୟରେ ଭାରତ ସର୍ବଦା ସହାୟତା ପାଇଁ ସର୍ବପ୍ରଥମେ ଆଗେଇ ଆସିଛି। ଏଥିପାଇଁ ସେ ଭାରତ ସରକାର ଏବଂ ଭାରତୀୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।