ହାଇଦ୍ରାବାଦ: ଦେଶରେ ପୁଣି ଆତଙ୍କୀ ହମଲାକୁ ନେଇ ଆତଙ୍କ ଖେଳିଯାଇଛି। ହାଇଦ୍ରାବାଦରେ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆତଙ୍କୀ ହମଲା କରିବାକୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପୋଲିସ। ଏହି ଇ-ମେଲ୍ରେ ବୋମା ବିସ୍ଫୋରଣ ଜରିଆରେ ଅତିକମ୍ରେ ୩୦୦ ଜଣଙ୍କ ଜୀବନ ନେବାକୁ ଧମକ ଦିଆଯାଇଥିବା ଜଣାପଡ଼ିଛି। ଘଟଣା ପରେ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ପୋଲିସ ଓ ସୁରକ୍ଷା ଏଜେନ୍ସି ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ନଭେମ୍ବର ୨୧ ତାରିଖରେ ହାଇଦ୍ରାବାଦ ପୋଲିସର ଅଫିସିଆଲ୍ ଇ-ମେଲ୍କୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ଇ-ମେଲ୍ରେ ଲସ୍କର-ଏ-ତୋଇବା (LeT) ନାମ ଉଲ୍ଲେଖ ଥିବା ସହ ହାଇଦ୍ରାବାଦର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ କରିବାକୁ ଧମକ ଦିଆଯାଇଥିଲା। ବିଶେଷକରି କାଚିଗୁଡ଼ାସ୍ଥିତ ହୋଟେଲ ଟୁରିଷ୍ଟ ପ୍ଲାଜା ଏବଂ କାଚିଗୁଡ଼ା ରେଳ ଷ୍ଟେସନକୁ ସମ୍ଭାବ୍ୟ ଟାର୍ଗେଟ୍ ଭାବେ ଉଲ୍ଲେଖ କରାଯାଇଥିଲା।
ଇ-ମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଆତଙ୍କୀ ସଂଗଠନ ସହ ଜଡ଼ିତ ବୋଲି ଦାବି କରିଥିବା ବେଳେ ଜମ୍ମୁ-କାଶ୍ମୀରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଲସ୍କର କମାଣ୍ଡର ଲତିଫ ଭଟ୍ଟ ଓ ତାଙ୍କ ସହଯୋଗୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଏଭଳି ଧମକ ଦିଆଯାଇଥିବା ଉଲ୍ଲେଖ ରହିଛି। ତେବେ ଇ-ମେଲ୍ର ଦାବି ସତ କି ମିଥ୍ୟା, ତାହାର ଯାଞ୍ଚ ଜାରି ରହିଛି।
ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ହାଇଦ୍ରାବାଦ ପୋଲିସ ପକ୍ଷରୁ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଆଣ୍ଟି-ସାବୋଟାଜ୍ ଯାଞ୍ଚ କରାଯିବା ସହ ପୋଲିସ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି। ରେଳ ଷ୍ଟେସନ, ବସ୍ ଟର୍ମିନାଲ, ହୋଟେଲ, ଧାର୍ମିକ ସ୍ଥଳ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି।
ହାଇଦ୍ରାବାଦ ପୋଲିସର ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ବିଭିନ୍ନ ଥାନା ଓ ସୁରକ୍ଷା ୟୁନିଟ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଇବର କ୍ରାଇମ୍ ପୋଲିସ ମଧ୍ୟ ଇ-ମେଲ୍ର ଉତ୍ସ ଖୋଜିବା ସହ ଏହା ପଛରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଚଳାଇଛି।