ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ‘ଅକଭାନ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ଚିନ୍ତା ବଢ଼ାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ ହେବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏଭଳି ସ୍ଥିତିରେ କ୍ଷୟକ୍ଷତିର ବାସ୍ତବ ଚିତ୍ର ଜାଣିବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବାକୁ ସୋମବାର ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସକାଳ ୮ଟା ୧୫ରେ ନିଜ ସରକାରୀ ବାସଭବନରୁ ବାହାରିବେ। ୮ଟା ୩୦ରେ ହେଲିକପ୍ଟର ଯୋଗେ ଯାତ୍ରା ଆରମ୍ଭ କରି ସକାଳ ୯ଟା ୧୫ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ। ସେଠାରୁ ସିଧାସଳଖ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗାଁକୁ ଯାଇ ବନ୍ୟାରେ କ୍ଷତିଗ୍ରସ୍ତ ଫସଲ ଓ ଚାଷଜମିର ସ୍ଥିତି ଅନୁଧ୍ୟାନ କରିବେ।
ଏହାପରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ବ୍ଲକର ବଉଳଗାଁ ପରିଦର୍ଶନ କରିବେ। ସେଠାରେ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଜଳମଗ୍ନ ଚାଷଜମିର ସ୍ଥିତି ପରଖିବେ। ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଓ ଫସଲହାନି ସମ୍ପର୍କରେ ସିଧାସଳଖ ଆଲୋଚନା କରିବେ। କୃଷି କ୍ଷୟକ୍ଷତିର ଆକଳନ ଏବଂ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ମଧ୍ୟ ସ୍ଥିତି ଅନୁଧ୍ୟାନ କରିବେ।
କ୍ଷେତ୍ର ପରିଦର୍ଶନ ପରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ପ୍ରଭାବିତ ପରିବାରଙ୍କୁ ରିଲିଫ୍ ବଣ୍ଟନ, ଚାଷୀଙ୍କ ଫସଲହାନି ଏବଂ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ବିଭିନ୍ନ ବିଭାଗରୁ ରିପୋର୍ଟ ନିଆଯିବ।
ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ, ଅନ୍ୟାନ୍ୟ ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ରହିବେ। ପ୍ରଭାବିତ ଲୋକଙ୍କୁ କିପରି ତୁରନ୍ତ ସହାୟତା ମିଳିବ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଅଣାଯିବ, ସେନେଇ ଆଲୋଚନା ହେବ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଏସ୍ପି ହରିଶ ବିଶି, ଉପଜିଲ୍ଲାପାଳ ଶିବାଶିଷ ବରାଳ ଓ ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଗସ୍ତସ୍ଥଳ ପରିଦର୍ଶନ କରିଛନ୍ତି।
ସୁରକ୍ଷା ବ୍ୟବସ୍ଥା, ଯାତାୟାତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରେ ବନ୍ୟା ଓ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ଏବଂ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି।