ପଟାଙ୍ଗି: କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘଦିନରୁ ଚାଲିଥିବା ସୀମା ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆସନ୍ତା ଡିସେମ୍ବର ୨ ତାରିଖରେ ସରପଞ୍ଚ ଓ ୱାର୍ଡ ସଭ୍ୟ ନିର୍ବାଚନ କରାଇବାକୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କୋଟିଆ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିଛି। ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟା ଜାରି ରହିଥିବା ବେଳେ ସୀମାନ୍ତ ଅଞ୍ଚଳର ସ୍ଥିତି ଉପରେ ଓଡ଼ିଶା ପ୍ରଶାସନ ମଧ୍ୟ ତୀକ୍ଷ୍ଣ ନଜର ରଖିଛି।
ସୂଚନା ଅନୁଯାୟୀ, ନଭେମ୍ବର ୨୧ ତାରିଖରେ ଗଞ୍ଜେଇପଦର ପଞ୍ଚାୟତରୁ ଦୁଇ ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଧୂଳିପଦର ଗ୍ରାମର ସୋଡ଼ିପିଲି ବେର୍ଶୋ ଏବଂ ତଳ ଗଞ୍ଜେଇପଦର ଗ୍ରାମର କୋରା ସୁନ୍ଦରୀ ଏହି ପଦବୀ ପାଇଁ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।
ସେହିପରି ନାମାଙ୍କନ ପ୍ରକ୍ରିୟାର ଦ୍ୱିତୀୟ ଦିନରେ ଫାଟୁସିନେରି ପଞ୍ଚାୟତରେ ନିର୍ବାଚନୀ ଗତିବିଧି ଆହୁରି ଜୋରଦାର ହୋଇଛି। ଏଠାରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ସହ ୧୧ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ଏହାବ୍ୟତୀତ ଫଗୁଣସିନେରି ପଞ୍ଚାୟତରୁ ମଧ୍ୟ ଜଣେ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଆନ୍ଧ୍ରର ଏହି ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଓଡ଼ିଶା ପ୍ରଶାସନ ଓ ପୋଲିସ ପ୍ରଶାସନ ସତର୍କ ହୋଇପଡ଼ିଛନ୍ତି। ସୀମାନ୍ତ ଅଞ୍ଚଳରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇଛି।
ଏହି କ୍ରମରେ ସୁନାବେଢ଼ା ଏସଡିପିଓ ସୁମିତ୍ରା ଜେନାଙ୍କ ନେତୃତ୍ୱରେ କୋଟିଆ ଅଞ୍ଚଳର ବିଭିନ୍ନ ଗାଁରେ ଓଡ଼ିଶା ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ପୋଲିସ ଟିମ୍ ଗାଁ ଗାଁ ବୁଲି ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି। ଏଥିସହ ଅଞ୍ଚଳରେ ଶାନ୍ତି, ସଦ୍ଭାବନା ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ଆଶ୍ୱସ୍ତ କରାଯାଇଛି।
କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ବିବାଦ ମଧ୍ୟରେ ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟା ଏବେ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଆଗାମୀ ଦିନରେ ସୀମାନ୍ତ ଅଞ୍ଚଳର ସ୍ଥିତି କିପରି ରହୁଛି, ତାହା ଗୁରୁତ୍ୱପୂର୍ଣ୍ଣ ହେବ।