OTT ଦର୍ଶକଙ୍କ ପାଇଁ ଖୁସି ଖବର। ପୁଣିଥରେ ହସାଇବ ଫୁଲେରା ଗାଁ। ଲୋକପ୍ରିୟ ୱେବ୍ ସିରିଜ୍ ‘ପଞ୍ଚାୟତ’ର ପଞ୍ଚମ ସିଜନ୍କୁ ନେଇ ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି। ରିଲିଜ୍ ହୋଇଛି ‘ପଞ୍ଚାୟତ ସିଜନ୍-୫’ର ଟ୍ରେଲର। ଏଥର ଫୁଲେରା ଗାଁରେ ହସ, ମଜା, ରାଜନୀତି ସାଙ୍ଗକୁ ଆହୁରି ରୋଚକ ହେବାକୁ ଯାଉଛି ରିଙ୍କି ଓ ସଚିବ ଜୀଙ୍କ ପ୍ରେମ କାହାଣୀ।
ରିଙ୍କି-ସଚିବ ଜୀଙ୍କ ପ୍ରେମରେ ନୂଆ ଟ୍ୱିଷ୍ଟ
ଟ୍ରେଲରରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ସଚିବ ଜୀ ଓ ରିଙ୍କିଙ୍କ ପ୍ରେମ କାହାଣୀ। ଦୀର୍ଘଦିନ ଧରି ଦୁହିଁଙ୍କ ସମ୍ପର୍କକୁ ନେଇ ଦର୍ଶକଙ୍କ ମନରେ ଥିବା ଉତ୍ସୁକତା ଏଥର ଆହୁରି ବଢ଼ିବାକୁ ଯାଉଛି।
ଟ୍ରେଲରରେ ସଚିବ ଜୀ ରିଙ୍କିଙ୍କ ହାତ ମାଗିବା ପାଇଁ ପୁରୁଣା ପ୍ରଧାନ ଜୀଙ୍କ ପାଖକୁ ଯିବାକୁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ପ୍ରେମ କାହାଣୀରେ କେତେ ନୂଆ ମୋଡ଼ ଆସିବ, ତାହା ଜାଣିବାକୁ ଦର୍ଶକ ଉତ୍ସାହିତ।
ବନରାକସଙ୍କ ଟର୍ଚ୍ଚର, ସଚିବ ଜୀଙ୍କ ଅଡ଼ୁଆ ବଢ଼ିବ
ଏଥର ମଧ୍ୟ ବନରାକସଙ୍କ କାରନାମାରୁ ମୁକ୍ତି ମିଳିବା ସହଜ ନୁହେଁ। ଟ୍ରେଲରରେ ବନରାକସ ଓ ତାଙ୍କ ଗ୍ୟାଙ୍ଗ ସଚିବ ଜୀଙ୍କୁ ହଇରାଣ କରୁଥିବା ଦେଖାଯାଇଛି। ଏପଟେ ସଚିବ ଜୀ MBA କଲେଜରେ ଆଡମିଶନ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି।
କିନ୍ତୁ ଯେତେବେଳେ ବନରାକସଙ୍କୁ ସଚିବ ଜୀ ଓ ରିଙ୍କିଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାପଡ଼ୁଛି, ସେତେବେଳେ କାହାଣୀରେ ଆସୁଛି ନୂଆ ମୋଡ଼। ଅନ୍ୟପଟେ ପୁରୁଣା ପ୍ରଧାନ ଜୀ ସଚିବ ଜୀଙ୍କୁ ଚାପୁଡ଼ା ମାରୁଥିବା ଦୃଶ୍ୟ ମଧ୍ୟ ଟ୍ରେଲରରେ ରହିଛି। ଏହା ପରେ ସଚିବ ଜୀ କିପରି ରିଙ୍କିଙ୍କ ହାତ ମାଗିବେ, ତାହାକୁ ନେଇ ଆଗ୍ରହ ବଢ଼ିଛି।
ଡିସେମ୍ବର ୩ରେ ରିଲିଜ୍ ହେବ ‘ପଞ୍ଚାୟତ ୫’
ଦର୍ଶକଙ୍କ ଅପେକ୍ଷା ଆଉ ବେଶି ଦିନର ନୁହେଁ। ଆସନ୍ତା ଡିସେମ୍ବର ୩ରେ OTT ପ୍ଲାଟଫର୍ମ Amazon Prime Videoରେ ରିଲିଜ୍ ହେବ ‘ପଞ୍ଚାୟତ ସିଜନ୍-୫’। ଏହାର ପୂର୍ବ ସିଜନ୍ ଜୁନ୍ ୨୦୨୫ରେ ରିଲିଜ୍ ହୋଇଥିଲା। ପ୍ରାୟ ଦେଢ଼ ବର୍ଷର ଅପେକ୍ଷା ପରେ ପୁଣିଥରେ ଫୁଲେରା ଗାଁର କାହାଣୀ ନେଇ ଫେରୁଛନ୍ତି ନିର୍ମାତା।
ଏବେ ଦେଖିବାକୁ ବାକି ରହିଲା, ରିଙ୍କି ଓ ସଚିବ ଜୀଙ୍କ ପ୍ରେମ କାହାଣୀ କେଉଁ ମୋଡ଼ ନେଉଛି ଏବଂ ଫୁଲେରା ଗାଁରେ ଏଥର କେତେ ହସ ଓ ମନୋରଞ୍ଜନର ଧମାକା ହେଉଛି।