ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି । ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ପୁନର୍ବାର ମେଣ୍ଟ ଗଠନ କରିବେ ବୋଲି ଏକ ପ୍ରକାର ସୁନିଶ୍ଚିତ ହୋଇଛି । ମଙ୍ଗଳବାର ଉଭୟ ଦଳର ନେତୃବୃନ୍ଦ ମେଣ୍ଟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ୧ଟା ସମୟରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀକୁ ବିଜେପି ଜାତୀୟ ସଭାପତି ନିତିନ ନବୀନ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏବଂ ଶିରୋମଣି ଅକାଳୀ ଦଳର ସଭାପତି ସର୍ଦ୍ଦାର ସୁଖବୀର ସିଂହ ବାଦଲ ମିଳିତ ଭାବେ ସମ୍ବୋଧନ କରିବେ।
ପ୍ରମୁଖ ନେତାମାନଙ୍କର ଏହି ମିଳିତ ସାମ୍ବାଦିକ ସମ୍ମିଳନୀ ରାଜନୈତିକ ମହଲରେ ବେଶ୍ ହଇଚଇ ସୃଷ୍ଟି କରିଛି। ଦୀର୍ଘ ଦିନ ଧରି ଏହି ଦୁଇ ପୂର୍ବତନ ସହଯୋଗୀ ପୁଣିଥରେ ଏକ ମଞ୍ଚକୁ ଆସିବା ନେଇ ଚର୍ଚ୍ଚା ଚାଲିଥିଲା। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ଶୀର୍ଷ ନେତାମାନେ ଏକାଠି ହୋଇ ଗଣମାଧ୍ୟମ ସାମ୍ନାକୁ ଆସିବା ଏବଂ ବୈଠକ କରିବା ଘଟଣାକୁ ପଞ୍ଜାବ ରାଜନୀତି ଓ ସେଠାକାର ନିର୍ବାଚନୀ ସମୀକରଣ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।